ଶିଶୁ ମନ୍ଦିରର ୩୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଖେଳକୁଦ ସମାରୋହ ଦୁଇଦିନ ଧରି ହାତୀଶାଳ ପଡ଼ା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଷୀ ଯୋଗ ଦେଇ କ୍ରୀଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଶ୍ୱ ଜୀବନ ପାଢୀ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରିଚାଳନା କମିଟି ସଭାପତି ଶିଳ୍ପପତି ସୁବାସ ଚନ୍ଦ୍ର ମୁଣ୍ଡ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସରଫ ଅଲ୍ଲୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ଜେ. ଲଳିତା ସରାଫ ଉପସ୍ଥିତ ଥିଲେ । ଯୁଗ୍ମ ସଂପାଦକ ସନ୍ତୋଷ ରଥ ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ୱାଦିକ ପ୍ରାଣରଂଜନ ବେହେରା ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କ ପାଇଁ ଶିକ୍ଷା ସହ କ୍ରୀଡ଼ା ନିହାତି ଜରୁରୀ ବୋଲି ଉପସ୍ଥାପନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଭବାନୀପାଟଣା ବ୍ରଜ ବିହାର ପ୍ରଧାନଚାର୍ଯ୍ୟ ମନୋଜ ମୁଣ୍ଡ, ପରିଚାଳନା ସମିତି ଯୁଗ୍ମ ସଂପାଦକ ସନ୍ତୋଷ ରଥ ସଦସ୍ୟା ଜେ. ଲଳିତା ସରାବୁ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ୧୫ ଜଣ ଶିଶୁ ଭାଇଭଉଣୀ ଚମ୍ପିଆନ ଭାବେ ପୁରସ୍କୃତ ହୋଇଥିଲେ । ଶିଶୁ ମନ୍ଦିର ଶାରୀରିକ ପ୍ରମୁଖ ରବିନ୍ଦ୍ର ଶବର ବିବରଣୀ ପଠନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ସୁଧାକର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦକ୍ଷିଣ ସଂଭାଗ ଖେଳକୁଦ ପ୍ରମୁଖ ରାମକୃଷ୍ଣ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବରେ ଗୋଳାଫିଙ୍ଗୀ, ଥାଳିଆପିଙ୍ଗା, ବର୍ଚ୍ଛାଫିଙ୍ଗା ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀ ଡିସେମ୍ବର ମାସରେ ହେବାକୁ ଥିବା ସଂକୁଳ କ୍ରୀଡାରେ ଭାଗନେବେ । ଅଭିଭାବକ, ଅଭିଭାବିକା, ସେବକ, ସେବିକା, ପୂର୍ବ ଛାତ୍ର ଏବଂ ଗୁରୁଜୀ, ଗୁରୁମାଙ୍କ ମଧ୍ୟରେ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡାକୁ ଗୁରୁଜୀ, ଗୁରୁମା ସୂଚାରୁ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.