ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ କ୍ରୀଡା ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୧ତମ ଦ୍ୱିଦିବସୀୟ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି । ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ଦାସଙ୍କ ସଭାପତିତ୍ୱ, ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଗୁରୁମା ମମତା ସାମଲଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ କ୍ରୀଡାବିତ୍ ସୁଶ୍ରୀ ଅର୍ପିତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସମ୍ପାଦକ ଶ୍ରୀକାନ୍ତ ଷଡ଼ଙ୍ଗୀ ଯୋଗଦେଇଥିଲେ । ଉଭୟ ଅତିଥି ସେମାନଙ୍କ ବକ୍ତବ୍ୟରେ ଶିକ୍ଷା ସହ କ୍ରୀଡା ଏକାନ୍ତ ଅପରିହାର୍ଯ୍ୟ ଓ ନିଜର ଅନ୍ତର୍ନିହିତ କ୍ରୀଡା ମନୋଭାବକୁ ପ୍ରତିଫଳନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମତ ରଖିଥିଲେ । ସଭାପତି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଶାରିରୀକ ଓ ମାନସିକ ସନ୍ତୁଳନ ରକ୍ଷା କରିବା ପାଇଁ କ୍ରୀଡାର ଅପରିହାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଶିଶୁ ବର୍ଗ, ବାଲ ବର୍ଗ, କିଶୋର ବର୍ଗରେ ଅରୁଣ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୨ଟି ପ୍ରତିଯୋଗିତା ଯଥା : ୩୦୦୦ ମି ଦୌଡ, ୧୫୦୦ ମି ଦୌଡ଼, ୮୦୦ ମି ଦୌଡ଼, ଉଚ୍ଚଡିଆଁ, ଲମ୍ବାଡିଆଁ, ସଟ୍‌ଫୁଟ୍, ଡିସ୍‌କସ୍, ଜାଭେଲିନ୍, ଟ୍ରିପଲ ଜମ୍ପ, ଅଙ୍କ ଦୌଡ଼, ସ୍ମରଣ ଶକ୍ତି ଦୌଡ ଇତ୍ୟାଦି ଖେଳରେ ପ୍ରାୟ ୫ଶହରୁ ଅଧିକ ଶିଶୁ ଭାଇଭଉଣୀମାନେ ବିଭିନ୍ନ ଖେଳରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିପରି ବିଭିନ୍ନ ଦେବାଦେବୀ ଓ ମହାପୁରୁଷଙ୍କ ବେଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟା ମନ୍ଦିରର ପ୍ରାକ୍ତନ ଚମ୍ପିୟାନ ସୁଶ୍ରୀ ଜ୍ୟୋସ୍ନାରାଣୀ ବାର୍ଲା ସଂକଳ୍ପ ପାଠ କରିଥିଲାବେଳେ ଭଉଣୀ ମାନଙ୍କ ଦ୍ଵାରା ସାମୁହିକ କଣ୍ଠ ସଂଗୀତ ଗାନ କରାଯାଇଥିଲା । ମା’ ତାରିଣୀ ପୀଠରୁ କ୍ରୀଡା ଜ୍ୟୋତି ଅଣାଯାଇ ସ୍ଥାପନ କରାଯାଇଥିଲା । ସେହିପରି ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସହ ପ୍ରଧାନଚାର୍ଯ୍ୟ ଜନ୍ମେଜୟ ସୁଆର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ଗୁରୁମା ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ସହଯୋଗ କରିଥିଲେ ।

Leave A Reply

Your email address will not be published.