ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସିବିଏସଇ ଅନୁବନ୍ଧିତ ଆବାସିକ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଷ୍ଟେମ ମେଳା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସହରର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ କେବଳ ଉନ୍ନତ ମାନର ଶିକ୍ଷାଦାନରେ ସୀମିତ ନୁହେଁ ବରଂ ବିଦ୍ୟାର୍ଥୀମାନଙ୍କ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦିଆଯାଇଥାଏ । ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ଚାରଭଟା ପରିସରରେ ବୈଷୟିକ, ପ୍ରଯୁକ୍ତି, ଗଣିତ, ବିଜ୍ଞାନ ମେଳାର ଭବ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ।।ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ଵର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କୁନି କୁନି ବୈଜ୍ଞାନିକଙ୍କ ଅଫୁରନ୍ତ ଆଗ୍ରହକୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଯାଇଛି ବୈଷୟିକ, ପ୍ରଯୁକ୍ତି ,ଗଣିତ ଏବଂ ବିଜ୍ଞାନ ମେଳାର ପ୍ରଦର୍ଶନୀ । ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବରେ ଡ. ସୀତାରାମ ପାଣିଗ୍ରାହୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ରାକେଶ ଜୈନ, ଜୀବନ ଜ୍ୟୋତି ନର୍ସିଂ ହୋମର ପ୍ରତିଷ୍ଠାତା ଡ. ମୋହନ ଲାଲ ଜୈନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରହ୍ମାନନ୍ଦ ପୁହାଣ, ବରିଷ୍ଠ ବିଜ୍ଞାନ ଶିକ୍ଷକ ଉମେଶ ଚନ୍ଦ୍ର ଦାସ, କୁନାଲ ବହିଦାର, ସୌମ୍ୟରଞ୍ଜନ, ଜିକୁନ୍ ଷଡ଼ଙ୍ଗୀ (ବରିଷ୍ଠ ଶିକ୍ଷକ) ପ୍ରଦୀପ କୁମାର ମିଶ୍ର, ଶୁଭମ ପାଣିଗ୍ରାହୀ, ବିଦ୍ୟାଳୟର ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ୱର ରାଓ, ଉପଦେଷ୍ଟା ଡ଼ଃ ରବିନ ଚନ୍ଦ୍ର ପରମାଣିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ ମୁଖ୍ୟ ଅତିଥି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଗଣ ସାମ୍ପ୍ରତିକ ସମୟରେ ବିଜ୍ଞାନର ପ୍ରୟୋଗ ବିଧି ଓ ଉପାଦେୟତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଉକ୍ତ ବିଜ୍ଞାନ ମେଳାରେ ଶିକ୍ଷାନୁଷ୍ଠାନର ପ୍ରଥମଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୬୯ ଜଣ କୁନିକୁନି ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ । ମୋଟ ୧୫୫ଟି ପ୍ରକଳ୍ପ ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ଵାରା ଉଚ୍ଚ ମାନର ପ୍ରକଳ୍ପ ପ୍ରସ୍ତୁତି ସହିତ ଆଧୁନିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଥିଲା । ପ୍ରାକୃତିକ ଶକ୍ତିର ସୁବିନିଯୋଗ, କୃଷି କ୍ଷେତ୍ରରେ ଆଧୁନିକୀକରଣ, କଳା ବିଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଓ ଶିବାଜୀଙ୍କ ଦୁର୍ଗ, ବାଣିଜ୍ୟ ବିଭାଗର ବାଣିଜ୍ୟ ଗଛ ପ୍ରକଳ୍ପ ସାହାଯ୍ୟରେ ବାଣିଜ୍ୟର ଆବଶ୍ୟକତା ଭୁବନେଶ୍ୱରରେ ଅନୁଷ୍ଠିତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ବାଣିଜ୍ୟ ଛାତ୍ରଙ୍କର କୃତିତ୍ତ୍ଵ ହାସଲ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ଆଦି ନୂତନ ଜ୍ଞାନକୌଶଳ ସନ୍ଧାନରେ ଛାତ୍ରଛାତ୍ରୀଙ୍କ ସର୍ଜନଶୀଳତା ବେଶ ଆକର୍ଷଣୀୟ ଥିଲା । ଏହି ସମ୍ମାନିତ ଅତିଥି ମାନଙ୍କର ତତ୍ତ୍ଵାବଧାନରେ ପ୍ରକଳ୍ପଗୁଡ଼ିକର ଚୟନ କରାଯାଇଥିଲା । ପ୍ରକଳ୍ପ ଗୁଡ଼ିକ ଏତେ ଉଚ୍ଚକୋଟୀର ଥିଲା ଯେ, ତାହା ସମ୍ମାନିତ ଅତିଥିମାନଙ୍କ ପକ୍ଷେ ଚୟନ କରିବାରେ କଷ୍ଟସାଧ୍ୟ ହୋଇପଡ଼ିଥିଲା । ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଡଃ ଛାୟାକାନ୍ତ ଷଡ଼ଙ୍ଗୀ(ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ) ଡଃ ବୃନ୍ଦାବନ ଷଡ଼ଙ୍ଗୀ (ଅବସରପ୍ରାପ୍ତ, ଏନ୍ସିସି ୧୧୦ ବାଟାଲିୟନ୍, ଦ୍ଵିତୀୟ ବଲାଙ୍ଗିର) ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏବଂ ଏହି କୁନିକୁନି ବୈଜ୍ଞାନିକମାନଙ୍କୁ ଭବିଷ୍ୟତରେ ମଧ୍ୟ ଆହୁରି ଉନ୍ନତମାନର ପ୍ରକଳ୍ପ ପ୍ରସ୍ତୁତି ପାଇଁ ଏବଂ ପ୍ରତ୍ୟକ୍ଷ ଭାବରେ ବୈଜ୍ଞାନିକ ହେବା ପାଇଁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ଏଭଳି ଏକ ଉଚ୍ଚକୋଟୀର ଏବଂ ଆକର୍ଷଣୀୟ ପ୍ରଦର୍ଶନୀ ସୂଚାରୁ ରୂପେ ସମ୍ପାଦିତ ହୋଇଯାଇଛି ।