ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣ ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ଆୟୋଜନ ନିମନ୍ତେ ଅର୍ଥ କମିଟିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, (ସାଧାରଣ) ସୁବର୍ଣ୍ଣପୁର, ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ସୌମ୍ୟାରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କ ସମେତ ଅର୍ଥ କମିଟିର ସଦସ୍ୟ ସଦସ୍ୟା ଓ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଗତ ବର୍ଷର ଆୟ ଓ ବ୍ୟୟ ବିଷୟରେ ଆଲୋଚନା ହୋଇଥିବାବେଳେ ଚଳିତ ବର୍ଷ କେମିତି ଅଧିକ ପାଣ୍ଠି ସଂଗ୍ରହ କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅଂଶଗ୍ରହଣ କରି ଗଦାଧର ବାରିକ, ମନୋରଞ୍ଜନ ତ୍ରିପାଠୀ, ଦିଲୀପ କୁମାର ପାତ୍ର ସେମାନଙ୍କ ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ । ଅର୍ଥ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଧାର୍ଯ୍ୟ କରାଯାଇଥିବା ପାଣ୍ଠି ଆଗାମୀ ୩୧ ଡିସେମ୍ବର ମଧ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରିବା ପାଇଁ ସଂପୃକ୍ତ ଅଧିକାରୀ, ସଂସ୍ଥା ଓ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର ସୁଶ୍ରୀ ଯମୁନା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ନିଜାରତ ଅଧିକାରୀ, ସତ୍ୟବ୍ରତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।