- ୯ଟି ବାଇକ୍ ଉଦ୍ଧାର, ତଦନ୍ତ ଜାରି
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡା ଫାଣ୍ଡି ଅଞ୍ଚଳରେ ଗତ କିଛି ମାସ ହେଲା ବାଇକ ଚୋରି ବୃଦ୍ଧି ପାଉଥିଲା । ତେବେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ୟ ୫ ଜଣ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳତା ପାଇଛି । ଏଥି ସହିତ ୯ଟି ବାଇକ୍ ସେମାନଙ୍କ ସୂଚନା କ୍ରମେ ଉଦ୍ଧାର କରାଯାଇଥିବା ଜଣା ଯାଇଛି । ଏନେଇ ରିଷିଡା ଫାଣ୍ଡିରେ କେସିଙ୍ଗା ଏସ୍ଡିପିଓ ସନ୍ଦୀପ କୁମାର ମାଝି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ଝାରମୁଣ୍ତା ଗ୍ରାମର ପଦ୍ମମୁଖ ସାହୁଙ୍କର ଗତ ୧୭ ତାରିଖ ସୋମବାର ଦିନ ହିରୋହୋଣ୍ତା ସିଡି ଡିଲକ୍ସ ନଂ ଓଆର୍ ଙ୮ ଜି ୯୩୭୨ ବାଇକ ଚୋରି ହୋଇଥିଲା । ଏନେଇ ସେ ରିଷିଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ବାଇକ ଚୋର ବଲାଙ୍ଗିର ଜିଲ୍ଲା ତୁଷରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ରୋହିତ ମହାନନ୍ଦ ଓରଫ ମୁକେଶ ଓରଫ ଲାଲୁଙ୍କୁ ଗିରଫ କରି ବାଇକ ଉଦ୍ଧାର କରିଥିଲେ । ବାଇକ ଚୋରି ରାକେଟକୁ ଧରିବା ପାଇଁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏନ୍. ଦେବରକୋଣ୍ଡାଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସ୍ଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ଵାବଧାନରେ ମ.ରାମପୁର ଥାନା ଅଧିକାରୀ ବୀରବର ଭଗତ ଓ ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଅଭିଯୁକ୍ତ ରୋହିତକୁ ଧରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବାଗବାହାଲି ଗ୍ରାମର ଗୋକୁଳ ସାହୁ, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଦେଉଲି ଗ୍ରାମର ବାବୁଲା ରଣା, ବାଳଗୋପାଲ ରଣା, ଟିକେଚନ୍ଦ ରଣା ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧୀନ ଜାମୁଟ ଗ୍ରାମ (ଜଗନ୍ନାଥ ବସ୍ତି ପଡ଼ା)ର ଦୟାସାଗର ବିଶିକୁ ଉଠାଇ ଆଣିଥିଲେ । ସେମାନଙ୍କ ସୂଚନା ଆଧାରରେ ୯ଟି ବାଇକ ଉଦ୍ଧାର କରାଯାଇଥିବା ବେଳେ ତଦନ୍ତକାରୀ ରହିଥିବା ଏସଡିପିଓ ଶ୍ରୀ ମାଝୀ ସୂଚନା ଦେଇଥିଲେ । ଏହି ସ୍ୱାମାଦିକ ସମ୍ମିଳିନୀରେ ମ.ରାମପୁର ଥାନା ଅଧିକାରୀ ବୀରବର ଭଗତ, ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଉପସ୍ଥିତ ଥିଲେ । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏନେଇ ମ. ରାମପୁର ଥାନାରେ କେଶ ନଂ ୨୯୫ରେ ଧାରା ୩୦୩(୧), ୩୧୭(୨), ୩୧୭(୪), ୩(୫)ରେ ମାମଲା ରୁଜୁ ହୋଇଛି । ତେବେ ବାଇକ ଚୋରି ସହ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଦେଖିବା ପାଇଁ ଫାଣ୍ଡିରେ ଲୋକଙ୍କ ପ୍ରବଳ ଭିଡ ଲକ୍ଷ୍ୟ କରାଯାଇଥିଲା ।