ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ୪ ବର୍ଷର ଶିଶୁ ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଅକାଳରେ ଜୀବନ ଚାଲିଯାଇଛି । ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ । ସବୁଦିନ ଭଳି ସେ ମଙ୍ଗଳବାର ମଧ୍ୟ ଅଙ୍ଗନାୱାଡି ପାଠ ପଢିବାକୁ ଗଲେ । ପାଠପଢା ସାରି ମଧ୍ୟାହ୍ନ ଭୋଜନ ଖାଇ ବାପାଙ୍କ ସହ ମକା ବାଡ଼ିକୁ ଗଲେ । ସେଠାରେ ବାପା ମା’ଙ୍କ ସହ କିଛି ସମୟ ବିତାଇ ଖେଳୁଥିଲେ । ପୂର୍ବରୁ ବିଗିଲଙ୍କ ବାପା ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ । ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତାରେ ଗିଳିଦେଇଥିଲେ ଓ ତାହା ତାଙ୍କ ତଣ୍ଟିରେ ଅଟକିଯାଇ ଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇଥିଲା ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାଟି ଅପରାହ୍ନ ସମୟରେ ଘଟିଥିବା ବେଳେ ପ୍ରାୟ ୩୦ କିମି ଦୂର ଦାରିଙ୍ଗବାଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି । ସେ କହିଛନ୍ତି ମୃତ ଶିଶୁଙ୍କ ବାପା କହିବା ଅନୁସାରେ, ସେ ମସଲା ଜାତୀୟ ଚିପ୍ସ ପ୍ୟାକେଟରେ ଥିବା ଖେଳନାକୁ ଗିଳିଥିଲେ, ଯାହାକି ତାଙ୍କ ଅଧିକା ରକ୍ତସ୍ତାବ ହୋଇଥିଲା । ଡାକ୍ତରଙ୍କ କହିବା ପ୍ରକାରେ ଶ୍ୱାସନଳୀ ଓ ଖାଦ୍ୟନଳୀ ରହିଛି । ତେଣୁ ଏହା ଶ୍ୱାସନଳୀରେ ଯାଇଥାଇପାରେ । ଯଦି ଖାଦ୍ୟନଳୀରେ ଯାଇଥାନ୍ତା ତେବେ ପେଟ ଭିତରକୁ ଯାଇକି ବି ବିପଦ ସୃଷ୍ଟି କରିଥାନ୍ତା ବୋଲି ସେ କହିଛନ୍ତି । ଡାକ୍ତର ଆହୁରି କହିଛନ୍ତି ଯେ, ପିଲାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶସ୍ତା ଓ ନିମ୍ନମାନର ମସଲା ଜାତୀୟ ଚିପ୍ସ୍ ପ୍ୟାକେଟ ଭିତରେ ବିଭିନ୍ନ ପ୍ଲାଷ୍ଟିକ ଖେଳନା ତଥା ପ୍ଲାଷ୍ଟିକ ବନ୍ଧୁକ, ମୁଦି, ବଲ ଭଳି ଲୋଭନୀୟ ସାମଗ୍ରୀ ରହିଛି । ଏହା ଶିଶୁ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଓ ଏଥିରୁ ପିଲାଙ୍କୁ ନିବୃତ ରଖିବାକୁ ପରାମର୍ଶ ଦେଇଛନ୍ତି । ବିଗିଲଙ୍କ ଚିପ୍ସ ପ୍ୟାକେଟରୁ ଏକ ପ୍ଲାଷ୍ଟିକ ବନ୍ଧୁକ ରହିଥିଲା । ତାକୁ ସେ ଖାଇଥିବାରୁ ତାଙ୍କର ମୃତ୍ୟୁହେଲା ମୋ ଦ୍ୱାରା ଯେଉଁ ଭୁଲ ହୋଇଛି । ଅନ୍ୟମାନଙ୍କର ସେହି ଭୁଲ ନ ହେଉ ବୋଲି ମୃତ ଶିଶୁଙ୍କ ବାପା ରଞ୍ଜିତ କହିଛନ୍ତି । ସେପଟେ ବିଗିଲଙ୍କ ମୃତ୍ୟୁକୁ ନେଇ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ବିଗିଲ ଜଣେ ଭଲ ଛାତ୍ର ଓ ନିୟମିତ ବିଦ୍ୟାଳୟ ଆସନ୍ତି, ଭଲ ପାଠ ପଢ଼ନ୍ତି ବୋଲି ଅଙ୍ଗନବାଡି କର୍ମୀ ପ୍ରମିତି ପ୍ରଧାନ କହିଛନ୍ତି ।