ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଜନଜାତି ସ୍ୱାଭିମାନର ପ୍ରତୀକ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ଓ ଆବାହକ ଶ୍ରୀ ମହାପାତ୍ର ସେମାନଙ୍କ ବକ୍ତବ୍ୟରେ ବିର୍ସା ମୁଣ୍ଡାଙ୍କର ବହୁମୁଖୀ ପ୍ରତିଭା ତଥା ଜନଜାତି ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ । ତାଙ୍କର ସେବା ମନୋବୃତ୍ତି ପାଇଁ ଲୋକେ ତାଙ୍କୁ ଧରତୀ ଆବା ବୋଲି କହୁଥିଲେ । ବିଶିଷ୍ଟ କ୍ରାନ୍ତିକାରୀ ଆଦିବାସୀ ନେତା ସ୍ୱଳ୍ପ ଜୀବନ କାଳ ମଧ୍ୟରେ ଦେଶ ପାଇଁ ଯେଉଁ କର୍ମ କରି ଯାଇଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ସଭାପତି ସୁଶ୍ରୀ ମୁଦାଲି ବିର୍ସା ମୁଣ୍ଡାଙ୍କୁ ତ୍ୟାଗ ଓ ବଳିଦାନର ପ୍ରତୀକ ବୋଲି ଅବହିତ କରିଥିଲେ । ଏହି ଅବସରରେ ଛାତ୍ରୀ ବିନିଶା ବାରିକ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପଲତା ତ୍ରିପାଠୀ, ଅନ୍ନପୂର୍ଣ୍ଣା ସ୍ୱାଇଁ, ବିଦ୍ୟାଧର ବିଶ୍ୱାଳ, ଧନଞ୍ଜୟ ମଲ୍ଲିକ, ବିମଳ ମନ୍ତ୍ରୀ, ଅକ୍ଷୟ କୁମାର ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନ୍ନପୂର୍ଣ୍ଣା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.