ସରକାରୀ ମହାବିଦ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ବିର୍ସାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ସଭାଟି ଅନୁଷ୍ଠିତ ହୋଇଥିଲା । ଉପନିବେଶିକ ଶକ୍ତିକୁ ସୁଦୂର ଉପାନ୍ତ ଇଲାକାରେ ଥିବା ଜଣେ ସାଧାରଣ ଆଦିବାସୀ ଯୁବକ ନିଜର ଶକ୍ତି ଓ ସାହସ ବଳରେ ପ୍ରତିରୋଧ କରି ଦେଶ ମାତୃକାର ସେବାରେ ନିଜ ଜୀବନକୁ ମାତ୍ର ପଚିଶ ବର୍ଷ ବୟସରେ ଉତ୍ସର୍ଗୀକୃତ କରିଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦେଶପ୍ରେମ, ମାଟିକୁ ଭଲପାଇଥିବା ଏ ବୀର ଯୁବକ କୋଟି କୋଟି ଯୁବକ, ଯୁବତୀଙ୍କ ପ୍ରେରଣାର ଉତ୍ସ ହେବା ସହ ତାଙ୍କ ଜୀବନୀକୁ ଗଭୀର ଭାବେ ଅଧ୍ୟୟନ ଜରୁରି ବୋଲି କହିଥିଲେ । ସାଂପ୍ରତିକ ସ୍ଥିତିରେ ଜଳ, ଜାମିନ, ଜଙ୍ଗଲ ଧ୍ୱଂସ ହେବା ଯୋଗୁଁ ବିଶ୍ଵ ତାପନ ସୃଷ୍ଟି ସହ ପୃଥିବୀ ମା’ ଅବକ୍ଷୟ ଆଡ଼କୁ ଗତି କରୁଛି ବୋଲି କହିଥିଲେ । ଡ଼. ଅଶୋକ କୁମାର ମହାରଣା, ଡ଼. ରମଣୀ ନାଏକ, ବନ୍ଦନା ବାର ପ୍ରମୁଖ ନିଜ ନିଜ ବାକ୍ତବ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଆଶୀର୍ବାଦ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ସୁମନ୍ତ ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏ ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.