ପାଲଲହଡ଼ା, (ସଞ୍ଜୟ କୁମାର ନାୟକ) : ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକର ପାଲଲହଡା ଷ୍ଟାଡିୟମଠାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ । ଏହି କାର୍ଯ୍ୟକ୍ରମରେ ସାଂସଦ, ଢେଙ୍କାନାଳ ଲୋକସଭା ରୁଦ୍ର ନାରାୟଣ ପାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଧାୟକ ପାଲଲହଡା ଅଶୋକ ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା, ପାଲଲହଡା ଶ୍ରୀମତୀ ରୀନାରାଣୀ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଲଲହଡା ନିଶାନ ମିଶ୍ର, ତହସିଲଦାର ପାଲଲହଡା ଆକାଂକ୍ଷା ମହାପାତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟ ନାରାୟଣ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଜିତେନ୍ଦ୍ର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନା ଏବଂ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ମେଳାର ମୁଖ୍ୟ ଆକର୍ଷଣ ଭାବେ ୮ ଜଣ ସଫଳ ଚାଷୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ସହିତ ମାନପତ୍ର, ଟ୍ରଫି ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ପାଲଲହଡା ବ୍ଲକର ସମୁଦାୟ ସତେଇଶ ଗୋଟି ପଂଚାୟତରୁ ଛ ଶହରୁ ଉର୍ଦ୍ଧ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ୩ ଜଣ ଚାଷୀ ଏବଂ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ପ୍ରାଣୀ ସମ୍ପଦ ବିଭାଗର ୬ ଜଣ ଚାଷୀ ଏବଂ ମତ୍ସ୍ୟ ସମ୍ପଦ ବିଭାଗର ୪ ଜଣ ଚାଷୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ବ୍ଲକ ସାଂସ୍କୃତିକ ପରିଷଦ ଦ୍ୱାରା ପାଲା ମାଧ୍ୟ୍ୟମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମର୍କରେ ସଚେତନ କରାଯାଇଥିଲା । ଏହି ଅବସରରେ ମତ୍ସ୍ୟ ଚାଷୀମାନଙ୍କୁ ଜାତୀୟ ମତ୍ସ୍ୟ ଡିଜିଟାଲ ପୋର୍ଟାଲରେ ପଞ୍ଜିକରଣ ଓ ପ୍ରାଣୀ ପାଳକମାନଙ୍କୁ ପ୍ରାଣୀଧନ ବୀମା ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ସମ୍ପଦ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଓମ୍ଫେଡ, ମିଶନ ଶକ୍ତି ବିଭାଗ, ପାଉଡି ଭୂୟାଁ ଜନଜାତି ଉନ୍ନୟନ ବିଭାଗ ପ୍ରଦର୍ଶନୀ ମାଧ୍ୟମରେ ନିଜ ନିଜର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ଆରକ୍ଷୀ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭୟ ନାଏକ ମଞ୍ଚ ପରିଚାଳନା କରିଥିଲାବେଳେ ସହକାରୀ ମତ୍ସ୍ୟ ଅଧିକାରୀ, ପାଲଲହଡା ଆକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
