ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହିଦ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତି ଗୈାରବ ଦିବସ ମଧ୍ୟ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନ ରୁଦ୍ରେଶ୍ୱର ମେହେର, ମୁଖ୍ୟ ବକ୍ତା ଜିତେନ୍ଦ୍ର ହଂସ ମହୁଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ବସନ୍ତ ମାଝୀ, ସିଆରସିସି ମଧୁସୂଦନ ମାଝୀ, ମହୁଲପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରହରି ମେହେର ମଞ୍ଚାସିନ ହୋଇଥିଲେ । ସର୍ବପ୍ରଥମେ ଦେବ ପୂଜନ ଓ ସହିଦ୍ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସଭାପତି ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ନିମନ୍ତ୍ରିତ ଅତିଥି ବିଭାଗର ବିଭିନ୍ନ ଯୋଜନା ତଥା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଆମେ କେଉଁ ବିଷୟରେ ଯତ୍ନବାନ ହେଲେ ତାଙ୍କର ଶିକ୍ଷା ତଥା ସର୍ବାଙ୍ଗୀନ ବିକାଶ ହୋଇପାରିବ ସେ ସଂପର୍କରେ ନିଜସ୍ଵ ମତାମତ ଉପସ୍ଥାପନ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ବକ୍ତୃତା, ରଙ୍ଗୋଲୀ, ନୃତ୍ୟ, ଚିତ୍ରକଳା, ପ୍ରବନ୍ଧ ଲିଖିନ ଆଦିରେ କୃତି ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ମୋନାଲିସା ପତି ଧନ୍ୟବାଦ ଦେଇଥିଲେ । ଶିକ୍ଷକ ଡିସମ୍ବର ମେହେର ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ବିଦ୍ୟାଳୟ ଅନ୍ୟାନ୍ୟ କର୍ମଚାରୀ ଜ୍ୟୋସ୍ନାମୟୀ ଜଗତ, ସୁମିତ୍ରା ବାଗ ସହଯୋଗ ପ୍ରଦାନ କରିଥିଲେ ।