ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

  • ଏହି ଲୋଗୋ ଓଡ଼ିଆ ସଂସ୍କୃତି ତଥା ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶର ପ୍ରତୀକ
  • ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟ ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ
  • ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।
ଉକ୍ତ ବୈଠକର ଆଲୋଚନାରୁ ଜଣାପଡିଛି ଯେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ । ଏହି ବିଦ୍ୟାଳୟଗୁଡ଼ିକ ଗ୍ରାମପଞ୍ଚାୟତର ଏପରି ଏକ ଗ୍ରାମରେ ସ୍ଥାପିତ କରାଯିବ ଯେଉଁଠାରେ ଅନୁନ୍ୟ ୫ ଏକର ଜମି ଉପଲବ୍ଧ ଥିବା ସହିତ ଯେଉଁଠାକୁ ଗମନାଗମନ ସୁବିଧା ଥିବ । ପଞ୍ଚାୟତର ମଧ୍ୟ ସ୍ଥଳରେ ଅନ୍ୟୁନ ୫ ଏକର ଜମି ଉପଲବ୍ଧ ଥିବା ସର୍ବବୃହତ ଗ୍ରାମକୁ ପ୍ରାଥମିକତା ଦିଆଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଲୋଗୋ ଓଡ଼ିଆ ସଂସ୍କୃତିକୁ ବହନ କରୁଛି । ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶକୁ ବହନ କରୁଛି । ଏହି ‘ଲୋଗୋ’ ଶିକ୍ଷାର ମହତ୍ଵ ଓ ଭୂମିକାକୁ ପ୍ରତିଫଳିତ କରୁଛି । ‘ଲୋଗୋ’ର ମଧ୍ୟ ଭାଗରେ ଏକ ଖୋଲା ପୁସ୍ତକ ଓ ଏକ କଲମ ମୁନ ରହିଛି । ଖୋଲା ପୁସ୍ତକ ଶିକ୍ଷା ଏବଂ ବୌଦ୍ଧିକ ଶକ୍ତିର ଜାଗରଣକୁ ବୁଝାଏ ଏବଂ କଲମ ମୁନ ସୃଜନଶୀଳତା ଓ ପ୍ରକାଶନକୁ ପ୍ରତିନିଧିତ୍ଵ କରେ । କଲମ ମୁନର ଉପରିଭାଗରେ ଜଳୁଥିବା ମଶାଲ୍, ଜ୍ଞାନ ଓ ସତ୍ୟର ପ୍ରତୀକ, ଯାହା ଅଜ୍ଞାନତା ଦୂର କରିଥାଏ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ । ଏହା ଆମ ଛାତ୍ରଛାତ୍ରୀଙ୍କ ସ୍ଵପ୍ନକୁ ଜାଗ୍ରତ କରିବ । ମଶାଲ ଚାରିପାଖରେ ବିଛୁରିତ ହେଉଥିବା କିରଣ ନୈତିକ ଆଲୋକର ପ୍ରତୀକ । ‘ଲୋଗୋ’ର ବୃତ୍ତାକାର ରୂପ ଏକତା, ଅନ୍ତର୍ଭୁକ୍ତି ଏବଂ ସମନ୍ୱୟକୁ ବୁଝାଏ । ଲୋଗୋରେ ଥିବା ତିନୋଟି ତାରା – ଜ୍ଞାନ, ଚରିତ୍ର ଓ ସେବାକୁ ପ୍ରତିନିଧିତ୍ଵ କରେ । ଏଥିରେ ବ୍ୟବହୃତ ରଙ୍ଗ ସବୁ ଗଭୀର ଅର୍ଥ ବହନ କରେ । ଲୋଗୋ ଚାରିପାଖରେ ଓଡ଼ିଆ ଲିପିରେ ଲିଖିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଆମ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ଫଳରେ ଉକ୍ତ ଅଞ୍ଚଳରେ ଶିକ୍ଷା ଭିତ୍ତିଭୂମି ଏବଂ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ । ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ସେହି ବିଦ୍ୟାଳୟରେ ଉପଲବ୍ଧ ହେବ । ପ୍ରତ୍ୟେକ ପିଲାଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦକ୍ଷତାରେ ନିପୂଣ କରିବା ସହିତ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ସାମଗ୍ରୀକ ବିକାଶ କରାଇବା ଏହି ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ମୂଳ ଉଦ୍ଦେଶ୍ୟ । ଚଳିତ ବଜେଟରେ ଯେଉଁ ପ୍ରାବଧାନ କରାଯାଇଛି ଏବଂ ଏହି ସମ୍ବନ୍ଧରେ କ୍ୟାବିନେଟରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ତାକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନ୍ୱୟନ କରାଯିବା ଆବଶ୍ୟକ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ଯୁଗାନ୍ତକାରୀ ଯୋଜନାର ଲୋଗୋ ଉନ୍ମୋଚନ ହୋଇଛି । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାମାନଙ୍କୁ ସାମାଜିକ ଏବଂ ଶୈକ୍ଷିକ ଉଭୟ କ୍ଷେତ୍ରରେ ଆଗକୁ ବଢ଼ିବାରେ ସାହାଯ୍ୟ, ସହଯୋଗ ଯୋଗାଇ ଦେବ । ଏହି ଯୋଜନା ଅଧିନରେ ପ୍ରାୟ ୨୨୦୦ ବିଦ୍ୟାଳୟକୁ ଚୟନ କରାଯିବ । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କେବଳ ଏକ ଶିକ୍ଷା ସଂସ୍କାର ଯୋଜନା ନୁହେଁ, ବରଂ ଏକ ସଂକଳ୍ପ – ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷାକୁ ସୁଗମ କରିବା । ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପରିକଳ୍ପନା । ପ୍ରାଥମିକ ଶ୍ରେଣୀଗୁଡ଼ିକ ଉଚ୍ଚ ବିଦ୍ୟାଳୟର ମୂଳଦୁଆ ସ୍ଥାପନ କରେ । ତେଣୁ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ପର୍ଯ୍ୟାପ୍ତ ପ୍ରସ୍ତୁତି ଏବଂ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଡକ୍ଟର ଏନ. ତିରୁମାଲା ନାଏକ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.