ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଦିନ ୧୨ ଟା ବେଳେ ବିଭାଗୀୟ କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ ସୋନପୁର ପୌର ପରିଷଦର ଟ୍ୟାକ୍ସ ଓ ଫି କଲେକ୍ଟର କୃଷ୍ଣଭକ୍ତ ନାଏକଙ୍କୁ ନିଲମ୍ବନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ । ପ୍ରକାଶ ଥାଉ କି ଯେ, ଗତକାଲି ଜିଲ୍ଲାର ସମସ୍ତ ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାର୍ଯ୍ୟ ତଦାରଖ ବେଳେ ଅନୁପସ୍ଥିତ ଥିବା ଟେକ୍ସ କଲେକ୍ଟର କୃଷ୍ଣଭକ୍ତ ନାଏକଙ୍କୁ ପ୍ରଥମେ ବିଭାଗୀୟ ଅଧିକାରୀ ଓ ପରେ ଜିଲ୍ଲାପାଳ ନିଜେ ବାରମ୍ବାର ଫୋନ୍ କଲା ସତ୍ୱେ ବି ଫୋନ ନ ଉଠାଇବା ଯୋଗୁଁ ଓ ଲୋକଙ୍କ ରାଜସ୍ୱ ପାଣ୍ଠିରୁ ମାସକୁ ୮୨ ହଜାର ଟଙ୍କା ଦରମା ନେଇ ଲୋକଙ୍କ ସେବାରେ ଓ ସରକାରୀ କାର୍ଯ୍ୟରେ ଘୋର ଅବହେଳା କରିଥିବା ଓ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ଥିବା ଯୋଗୁଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି । ସେ ବିଭିନ୍ନ ସମୟରେ ଅଫିସକୁ ମଦ୍ୟପାନ କରି ଆସୁଥିବା ବେଳେ କାର୍ଯ୍ୟ କରୁ ନ ଥିବା ଜଣାପଡ଼ିଛି । ଆଜି ସକାଳ ୧୦ ଟାରେ ଜିଲ୍ଲାପାଳ ଡ଼. ସାହୁ ପୁଣି ନିଜେ ପୌର ପରିଷଦ ଅଫିସରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ ଓ ପରେ କର୍ମଚାରୀ ଶ୍ରୀ ନାଏକ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ନିଲମ୍ବନ କରିଥିବା ଖବର ମିଳିଛି ।