କଟକ, (ପିଆଇବି) : ଐତିହାସିକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ “ସେବା, ସୁଶାସନ ଓ ଗରିବ କଲ୍ୟାଣ” ଉପରେ ମଲ୍ଟିମିଡିଆ ପ୍ରଦର୍ଶନୀରେ ଜନସାଧାରଣଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି । ସିବିସି ଷ୍ଟଲ୍ ଏ ବର୍ଷର ବାଲିଯାତ୍ରାରେ ସବୁଠାରୁ ଆକର୍ଷଣୀୟ ପ୍ରଦର୍ଶନୀ ମଧ୍ୟରୁ ଅନ୍ୟତମ । ଏଠାରେ ଦର୍ଶକମାନେ ଭାରତ ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, କାର୍ଯ୍ୟକ୍ରମ ଓ ପଦକ୍ଷେପ ବିଷୟରେ ଜାଣିବାକୁ ପାଉଛନ୍ତି । ସପ୍ତମ ଦିନକୁ “ଫିଟ୍ ଇଣ୍ଡିଆ ଅଭିଯାନ” ଅଧୀନରେ ସ୍ୱାସ୍ଥ୍ୟ ଓ ଫିଟନେସ୍ ବାର୍ତ୍ତା ପ୍ରଚାର ଲାଗି ନିଷ୍ଠାପୂର୍ଣ୍ଣ ଭାବେ ଉତ୍ସର୍ଗ କରାଯାଇଥିଲା । ଫିଟନେସ୍ ଗେମ୍ସ, ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ ଓ ପାରସ୍ପରିକ ଆଲୋଚନା ଭଳି କାର୍ଯ୍ୟକଳାପ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି ହୋଇଛି । ଏହି ଅବସରରେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଜୟ ମହାନ୍ତି, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଓକିଲ ଦେବୀ ପ୍ରସାଦ ମହାପାତ୍ର, ସିଏମଜିଆଇ ସଂଯୋଜକ ପିନାକୀ ମହାନ୍ତି ଏବଂ ବୁର୍ଲା ଭିଏସଏସ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ଼. ଶର୍ମିଲା ଗଡନାୟକ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥିମାନେ ସିବିସିର ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ, ଏହି ପ୍ରଦର୍ଶନୀ, ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଜନସାଧାରଣଙ୍କ ମନ ଓ ହୃଦୟ ପର୍ଯ୍ୟନ୍ତ ସୃଜନଶୀଳ ଭାବରେ ପହଞ୍ଚାଇବାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଡିଜିଟାଲ୍ ଡିସ୍ପ୍ଲେ, ଫଟୋ ପ୍ୟାନେଲ୍ ଓ ସାଂସ୍କୃତିକ ପ୍ରଦର୍ଶନ ସହିତ ସିବିସିର ମଲ୍ଟିମିଡିଆ ପ୍ରଦର୍ଶନୀ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ସୂଚନା, ମନୋରଞ୍ଜନ ଓ ଜନସହଭାଗୀତାର ଅନନ୍ୟ ସମନ୍ୱୟ ମାଧ୍ୟମରେ ସିବିସି ଷ୍ଟଲ୍ ପ୍ରତ୍ୟେକ ଦିନ ଦର୍ଶକମାନଙ୍କୁ ଆକର୍ଷିତ କରୁଛି ।