ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ

  • ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ୟୟ ଅନୁମୋଦନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା କଲ୍ୟାଣପୁର, ଘୋରଡ଼ିଆ, ହରିରାଜପୁର, ଗୁଆଳିପଡ଼ା, ଇନ୍ଦିପୁର ଆଦି ଜନ ଆରୋଗ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ, ରୋଗୀ ସେବା ବ୍ୟାହତ ହେବା ସହ ସବୁ ଅଂଚଳର ରୋଗୀ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବାରୁ, ଏଠାରେ ଲମ୍ବାଧାଡିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ବରିଷ୍ଠ ନାଗରିକଙ୍କ ପାଇଁ ଦୁର୍ବିସହ ହେଉଥିବା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମ୍ବୁଲାନ୍ସ ଅଭାବ ପରିଲକ୍ଷିତ ହେଉଥିବା ସହ ୱାର୍ଡରେ ଚିକିତ୍ସାଧୀନ ରୋଗୀଙ୍କ ଖଟିଆରେ ନିୟମିତ ବିଛଣା ଚାଦର ପକାଯାଉନଥିବା ଆଦି ସମସ୍ୟା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ବେସରକାରୀ ସଭ୍ୟମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ତଥା ସମିତି ସମ୍ପାଦକ ଡା. ଶାନ୍ତନୁ କୁମାର ଜେନା, ଡା. ସୋନି ସାମନ୍ତରାୟ, ଡା. ମୃତ୍ୟୁଞ୍ଜୟ ଜଗଦେବ, ସ୍ୱାସ୍ଥ୍ୟ ମିଶନ ବ୍ଲକ ପରିଚାଳକ ଦିଲ୍ଲୀପ କୁମାର ପରିଡା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜାପାନୀ କୁମାରୀ ମିତ୍ର, ସୁପଭାଇଜର ସଂଘମିତ୍ରା ବେହେରା, ସହକାରୀ ଶିକ୍ଷା ଅଧିକାରୀ ସୁଷମା ଦାଶଙ୍କ ସମେତ ସଭ୍ୟ ତଥା ବ୍ଲକ ଆତ୍ମା ସଭାପତି ଲଡ଼ୁକିଶୋର ରାୟ, ସୁଧାଂଶୁ ଶେଖର ପରିଡା, ଶ୍ୱେତ କୁମାର ନାୟକ, ଶଶିଭୂଷଣ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ଅର୍ଥକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ୮ ଲକ୍ଷ ପଚାଶ ହଜାର ଟଙ୍କାର ବ୍ୟୟ ଅନୁମୋଦନ କରାଯିବା ସହ ପରବର୍ତ୍ତୀ ପାଞ୍ଚ ମାସ ପାଇଁ ୩ ଲକ୍ଷ ୮୮ ହଜାର ଟଙ୍କାର ଅଟକଳ ବ୍ୟୟ ମଂଜୁର କରାଯାଇଥିଲା । ଯଥା ଶୀଘ୍ର ଦୁଇଟି ଆମ୍ବୁଲାନ୍ସ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ଆଶ୍ୱାସନା ଦେଇଥିଲେ । ବ୍ଲକ ପରିଚାଳକ ଦିଲ୍ଲୀପ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବଳରାମ ପଟ୍ଟନାୟକ, ଶିବ ଉପାସିନୀ ମହାରଣା ପ୍ରମୁଖ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.