ଦାରିଙ୍ଗବାଡିର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି । ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ । ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି । ତେବେ ୨୦୧୫ରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳିତ ହୋଇଥିଲା । ଏହି ମହୋତ୍ସବ ରାଜ୍ୟ ସ୍ତରୀୟ ହେଉନଥିବା ବେଳେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ପ୍ରଶାସନର ସହାୟତାରେ ମହୋତ୍ସବ ପାଳନ କରାଯାଉଛି, ଯାହାକି ରାଜ୍ୟ ସ୍ତରୀୟ ଢାଞ୍ଚାରେ କରାଯାଉଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୨୦୨୬ ଜାନୁୟାରୀରେ ଏହି ମହୋତ୍ସବ ପାଳନ କରାଯିବ । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ କରାଯିବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ ଦାରିଙ୍ଗବାଡି ଶୀତ ମହୋତ୍ସବ ପାଳନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଦାବି କରାଯାଇଛି । ଏଥିରେ ଜିଲ୍ଲାପାଳ ବେଦଭୂଷଣ ଅଭିଯୋଗ ପତ୍ର ଗ୍ରହଣକରି ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଦାରିଙ୍ଗବାଡି ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ଆଇନଜୀଵୀ ହରେନ ସାହୁ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଭାଲୁ ସାହୁ ପ୍ରମୁଖ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.