ଅଘରିଆ ସମାଜର ଷଷ୍ଠ କାର୍ଯ୍ୟକାରୀ ବୈଠକ ସମାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ, ଆଞ୍ଚଳିକ କମିଟିର ଷଷ୍ଠ କାର୍ଯ୍ୟକାରୀ କମିଟି ବୈଠକ କୁରୁଲ ଗୁଡ଼ି ଅଧୀନସ୍ଥ କଷାବାହାଲ ଗାଁ ରେ ଅନୁଷ୍ଠିତ ହୋଇ ପ୍ରାୟ ୨୫୦୦ରୁ ଉର୍ଦ୍ଧ ଜାତି ଭାଇ ଭଉଣୀ ଉପସ୍ଥିତ ଥିଲେ । ପ୍ରତି ତିନି ମାସରେ ଥରେ ସମାଜର ଉନ୍ନତି ପାଇଁ ଉକ୍ତ ସଭାରେ ଆଲୋଚନା ହୋଇ କାର୍ଯ୍ୟ ହାତକୁ ନିଆଯାଇଥାଏ । କୁରୁଲ ଗୁଡ଼ି ସମ୍ପାଦକ ବିଶିକେଶନ ପଟେଲଙ୍କ ଆହ୍ୱାନ କ୍ରମେ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଗୁଡ଼ି ସଭାପତି ଦୁଃଶାସନ ନାଏକ । ଭାଲେର ମଣ୍ଡଳ ସଭାପତି ରାଜ କିଶୋର ନାଏକ ଓ କେନ୍ଦ୍ର ଉପସଭାପତି ଲିଲି ପଟେଲ ମଞ୍ଚାସୀନ ଥିଲେ । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ସଭାପତିତ୍ୱ ଆସନ ଅଳଙ୍କୃତ କରି ସମାଜର ସଂସ୍କାର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାରେ ସମସ୍ତ କର୍ମକର୍ତ୍ତା ଓ ସମାଜ ଭାଇଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷାକମିଟି ଦ୍ୱାରା ଆୟୋଜିତ ମେଧା ଅନ୍ୱେଷଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୪ ଜଣ ଛାତ୍ରଛାତ୍ରୀଙ୍କୁ ସ୍ମାରକୀ ଓ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମାଧିଆପାଲି ନିବାସୀ ରୋଶନ ପଟେଲ ଏ ବର୍ଷ ଓ.ଏ.ସ.ପରୀକ୍ଷାରେ ୭୯ ନମ୍ବର ରେଙ୍କ ଓ ତାଙ୍କ ଭାଇ ରୋହନ ପଟେଲ ଏ.ଇ.ଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥିବାରୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ପ୍ରଧାନ ଶିକ୍ଷକ ରୁ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ପଦୋନ୍ନତି ପାଇଥିବା ନୀଳମଣି ପଟେଲ ନି. ଭଦ୍ରା ଓ ଗୌତମ ପଟେଲ, ନି.ଭୀମ ଡୁଙ୍ଗୁରିଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅବସର କର୍ମଚାରୀ ସଂଘ ସଭାପତି ଦ୍ୱାରିକା ନାଥ ପଟେଲ, ରାଜ୍ୟ ବିହନ ପ୍ରକ୍ରିୟାକରଣ ନିଗମର ନିର୍ଦେଶକ ଭାବେ ସରମୁହାଣ ନିବାସୀ ଚିନ୍ତାମଣି ରାଉତ ଓ ଲର୍କିପାଲି ନିବାସୀ ନରହରି ରାଉତ ବଲାଙ୍ଗିର ଜିଲ୍ଲା ଫାର୍ମର କୃଷକ କେନ୍ଦ୍ରର ସଭାପତି ପଦ ପାଇଥିବାରୁ ସମାଜ ତିନି ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲା । ପୂର୍ଣ୍ଣାପାଣି ନିବାସୀ ସନ୍ତୋଷ କୁମାର ନାଏକଙ୍କ ପ୍ରଥମ ଭଜନ ବହି ” ଭଜି ଭଜି ତୋ ନାମ ” କୁ ମଞ୍ଚରେ ଉନ୍ମୋଚନ କରାଯାଇଥିଲା । ତିନିମାସର ବିବରଣୀ ପାଠ କରିଥିଲେ ଯୁଗ୍ମ ସମ୍ପାଦକ ମୁକୁନ୍ଦ ପଟେଲ, ଅଘରିଆ ଜ୍ୟୋତି ଓ ଶିକ୍ଷା କମିଟିର ବିବରଣୀ ପଠନ କରିଥିଲେ । ସନ୍ତୋଷ କୁମାର ରାଉତ ଓ ସୁମନ୍ତ ନାଏକ ଉପଦେଷ୍ଟା ମଣ୍ଡଳୀ, କେନ୍ଦ୍ର କର୍ମକର୍ତ୍ତା, ଚାରି ମଣ୍ଡଳ ସଭାପତି ସହ କର୍ମକର୍ତ୍ତା, ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ପୁସ୍ତକ କମିଟି, ଶିକ୍ଷା କମିଟି, ନିର୍ମାଣ କମିଟି, କୁରୁଲ ଗୁଡ଼ି କମିଟି ସହ କୁରୁଲ ଗୁଡ଼ି ଅଧୀନସ୍ଥ ୧୩ ଖଣ୍ଡ ଗ୍ରାମ୍ୟ ସଭାପତି କର୍ମକର୍ତ୍ତା ଯୋଗଦେଇ ସଭାକୁ ସାଫଲ୍ୟ କରିଥିଲେ । କେନ୍ଦ୍ର ସମ୍ପାଦକ ଦିଗାମ୍ବର ନାଏକ ସଂଯୋଜନା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.