ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁରର ପୂର୍ବତନ ବିଧାୟକ ସ୍ୱର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ ବ୍ଲକ ଛକ ଠାରୁ କୁଞ୍ଜ ଛକ ଯାଏ ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ସ୍ୱର୍ଗତ ଶ୍ରୀ କୁଶଳଙ୍କ ପ୍ରତିମୂର୍ତ୍ତିରେ ବରେଣ୍ୟ ଅତିଥି ଓ ଶୁଭେଚ୍ଛୁ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏବଂ “କୁନ୍ଦୁରୁ କୁଶଳ ଅମର ରହେ” “ମୋର୍ ସୋନପୁର ମୋତେ ସୁନ୍ଦର୍” ନାରା ଦେଇଥିଲେ । ପରେ ପରେ ଏକ ସଭାର ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗଦେଇ ଶ୍ରୀ କୁଶଳ କେବଳ ଯେ, ଏକ ଅପ୍ରତିଦ୍ଵନ୍ଦୀ ନେତା ନ ଥିଲେ ବରଂ ସେ ଜଣେ ଭଲ ମଣିଷ ଥିଲେ ଓ ନିଜ ମାଟି ତଥା ଗରିବ ଲୋକଙ୍କୁ ଭଲ ପାଉଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ୱାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରମିକ ନେତା ଗୋବିନ୍ଦ ମହାରଣା, ପ୍ରଧ୍ୟାପକ ଡ଼ଃ ସୌରଭ ରଞ୍ଜନ ଖମାରୀ ଯୋଗଦେଇ ଶ୍ରୀ କୁଶଳ ଜଣେ ଅପାଠୁଆ ନେତା ହେଲେ ବି ଜିଲ୍ଲା ପାଇଁ ଅନେକ ଐତିହାସିକ ପ୍ରକଳ୍ପ ସବୁ ନିର୍ମାଣ କରାଇଛନ୍ତି ବୋଲି କହିଥିଲେ । ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାକୁ କୋଶଳ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ଵାଗତ କରିଥିଲେ । ଇଂରାଜୀ ପ୍ରଧ୍ୟାପକ ମଦନ ସୁନ୍ଦର ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମାରାଥନ ଦୌଡ଼ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
Next Post