ଛାପା ଗଣମାଧ୍ୟମ ବିଜ୍ଞାପନ ଦର ୨୬% ବଢିପାରେ

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ଅଧ୍ୟକ୍ଷ ରବି ରଥଙ୍କ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ୱାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହୋଇଛନ୍ତି । ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର ବିଚାର କରୁଛନ୍ତି । ଏହାର ଅଂଶ ସ୍ୱରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢାଇବା ନେଇ ଯୋଜନା କରୁଛନ୍ତି । ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ୱର ୧୫ ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ କରିଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନ ଅଧ୍ୟକ୍ଷ ରବି ରଥ ସ୍ୱାଗତ ଜଣାଇଛନ୍ତି । ସୂତ୍ରରୁ ଜଣାଯାଇଛି ଯେ ସରକାର ବିଭିନ୍ନ ସ୍ତରରେ ସଂସ୍କାର ପାଇଁ ଉଦ୍ୟମ ଚଳାଇଛନ୍ତି । ଛାପା ଗଣମାଧ୍ୟମଗୁଡ଼ିକ ଡିଜିଟାଲ ଫର୍ମାଟକୁ ଯିବା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ବିଶେଷ କରି ଛାପା ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଛାପା ଗଣମାଧ୍ୟମରେ ରାଜସ୍ୱର ଏକ ପ୍ରମୁଖ ଉତ୍ସ ହେଉଛି ବିଜ୍ଞାପନ । କିନ୍ତୁ ଅନଲାଇନ୍‌ ମିଡିଆର ବିକାଶ ଫଳରେ ଛାପା ଗଣମାଧ୍ୟମର ବିଜ୍ଞାପନ କମିଯାଇଛି । ରେଡିଓର କିଭଳି ବିକାଶ ହେବ ସେ ନେଇ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି । ବର୍ତ୍ତମାନ ରେଡିଓର ବିକାଶରେ ବାଧା ସୃଷ୍ଟି କରୁଥିବା ନିୟାମକ ବ୍ୟବସ୍ଥାଗୁଡ଼ିକୁ ହଟାଇବା ସଂପର୍କରେ ଚିନ୍ତା କରାଯାଉଛି । ଟିଭି ଚ୍ୟାନେଲଗୁଡିକ ମୂଲ୍ୟାଙ୍କନ ବା ରେଟିଂ ବ୍ୟବସ୍ଥାରେ ବିକୃତିର ସମ୍ମୁଖୀନ ହେଉଛନ୍ତି । ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରାଯାଉଛି । ସମସ୍ତଙ୍କ ପାଇଁ ସମାନ ସୁଯୋଗକୁ ନିଶ୍ଚିତ କରାଯିବା ନେଇ ଯୋଜନା ରହିଛି । ସେହିଭଳି ଡିଟିଏଚ୍‌ କ୍ଷେତ୍ରରେ ମଧ୍ୟ ସଂସ୍କାର ଆଣିବା ଲାଗି ଯୋଜନା ଥିବା ଜଣାଯାଇଛି । ପାରମ୍ପରିକ ଗଣମାଧ୍ୟମଗୁଡିକର ବ୍ୟବସାୟ ସ୍ଥିତିରେ ଉନ୍ନତି ଆଣିବା ଏବଂ ନୂତନ ଭାବେ ମୁଣ୍ଡ ଟେକୁଥିବା ଡିଜିଟାଲ୍‌ ପ୍ଲାଟଫର୍ମ ସହିତ ପ୍ରତିଯୋଗିତା କରିପାରିବେ ସେ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.