ପୁନେ : ପୁନେ ନିକଟରେ ଅନୁଷ୍ଠିତ ହୋଇଥିବା “ରୋଲର ଏଥଲେଟିକ ପୁନେ ସିଟି ଚାମ୍ପିଅନସିପ – ୨୦୨୫”ରେ ୟୁରୋ ସ୍କୁଲ ୱାକ୍ଡର ଛାତ୍ରୀ ତଥା ପ୍ରତିଭାଶାଳୀ ଓଡ଼ିଆ ଝିଅ ସଞ୍ଚୟିତା ମିଶ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ରୋଲର ଏଥଲେଟିକସ ଏସୋସିଏସନ୍, ମହାରାଷ୍ଟ୍ର ସହ ଅନୁବନ୍ଧିତ ଥିଲା । ସଞ୍ଚୟିତା ପ୍ରତିଯୋଗିତାର ସାତବର୍ଷରୁ କମ୍ (କ୍ୱାଡ ସ୍କେଟସ୍) ବିଭାଗରେ ସ୍କୁଲକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ନିଜର ଚମତ୍କାର ପ୍ରଦର୍ଶନ ବଳରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପଦକ ଜିତିଛନ୍ତି । ଏହି ସଫଳତା ସହିତ ସେ ବର୍ତ୍ତମାନ ରାଜ୍ୟ ସ୍ତରୀୟ ସ୍କେଟିଂ ଚାମ୍ପିଅନସିପ୍ ପାଇଁ ମନୋନୀତ ହୋଇଛନ୍ତି । ଯାହାକି ତାଙ୍କ ପାଇଁ ଏକ ବଡ଼ ସୁଯୋଗ । ଶୈଶବରୁ ହିଁ ସ୍କେଟିଂ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଆସିଛି ଏବଂ ଆଗାମୀ ଦିନରେ ସେ ଏହିପରି ଭଲ ଫଳାଫଳ ହାସଲ କରିବେ ବୋଲି ଆଶା କରାଯାଉଛି । ସଞ୍ଚୟିତା ହେଉଛନ୍ତି ପୁନେରେ ରହୁଥିବା ପ୍ରବାସୀ ଓଡ଼ିଆ ଅଭିଳାଷ ମିଶ୍ର ଓ ସୀମା ଦାଶଙ୍କ ଏକମାତ୍ର କନ୍ୟା । ତାଙ୍କର ଏହି କୃତିତ୍ୱ ପାଇଁ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ, ସ୍କେଟିଂ ପ୍ରଶିକ୍ଷକ ଏବଂ ପରିବାରବର୍ଗ ଗର୍ବ ଅନୁଭବ କରିବା ସହ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।