ମିଶ୍ରିତ ଧାନ ବିହନ ନେଇ ଚିନ୍ତାରେ ଚାଷୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋପିଆ ଗ୍ରାମରେ ଖରିଫ ଧାନ ବିହନରେ ମିଶ୍ରିତ ଧାନ ଅମଳ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ସୂଚନା ମୁତାବକ କୋପିଆ ସାଲେପଡାର ବିଧବା ମହିଳା ଚିତ୍ର ଭୋଇଙ୍କ ଦୁଇ ପୁଅ ଦେବାର୍ଚନ ଭୋଇ ଓ ସଦାନନ୍ଦ ଭୋଇ ଗତ ଜୁନ ମାସରେ ନିକଟସ୍ଥ ଡିଲର ଚୈତନ୍ୟ ମେହେରଙ୍କ ଠାରୁ ୩ ପକେଟ ପୂଜା ଧାନ ବିହନ ଏକ ଏକର ଜମିରେ ଅମଳ କରିବା ପାଇଁ ଆଣି ବୁଣି ଥିଲେ । ଠିକ ଧାନ ଅମଳ ହେବା ବେଳକୁ ଧାନ ବିହନରେ ଅନେକ ପ୍ରକାର ଧାନ ମିଶ୍ରିତ ଥିବା ଜଣାପଡିଛି । ଯାହା ଫଳରେ କିଛି ଧାନ ବାହାରି ଅମଳ କ୍ଷମ ସ୍ଥିତିରେ ଥିବାବେଳେ ଆଉ କିଛି ଧାନ ଛୋଟ ରହିଯାଇ ଥିବାରୁ ଚାଷୀଙ୍କ ପରିବାର ହତାଶ ହୋଇ କ୍ଷତି ପୂରଣ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି । ଏହି ପରିବାର ଗରିବ ଶ୍ରେଣୀର ହୋଇ ଥିବାରୁ ଚାଷୀଙ୍କ ଦୁଃଖ କହିଲେ ନ ସରେ । ସେହିପରି ଶୀତଲିଖଲିଆ ଗ୍ରାମର ଭକୁଆ ଭୋଇ, ମୁଣ୍ଡାପଳା ଗ୍ରାମର ଦେବସିଂ ନାଏକ ମଧ୍ୟ ଏହି ଧାନ ବିହନ ନେଇଥିଲେ ତାଙ୍କର ମଧ୍ୟ ଏହିପରି ହୋଇଥିବା ଅଭିଯୋଗ କରିଛନ୍ତି । ତେଣୁ ନିକଟସ୍ଥ କୃଷି ଅଧିକାରୀ ତଦନ୍ତ କରି କ୍ଷତି ପୂରଣ ଦେବା ପାଇଁ ଚାଷୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.