ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ନାଟ୍ୟସଂଘ, ରାଉରକେଲା ଶାଖା ତରଫରୁ ୩୮ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ଉପଲକ୍ଷେ ନାଟ୍ୟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେକ୍ଟର ୫ ଗୁଣ୍ଡିଚା ମନ୍ଦିର ଠାରୁ ବିଭିନ୍ନ ନାଟ୍ୟାନୁଷ୍ଠାନର କର୍ମକର୍ତ୍ତା, ଅଭିନେତା, ଅଭିନେତ୍ରୀମାନେ ଯୋଗଦେଇ ପଦଯାତ୍ରାରେ ଅଂଶଗ୍ରହଣ କରି କଲଚରାଲ ଏକାଡେମୀ ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ପଞ୍ଚତତ୍ୱ ନାଟ୍ୟ ଦଳ ତରଫରୁ ସ୍ୱଚ୍ଛତା ସମ୍ପର୍କିତ ଏକ ପଥପ୍ରାନ୍ତ ସଚେତନତା ମୂଳକ ନାଟକ ପ୍ରଦର୍ଶିତ କରାଯାଇଥିଲା । ଏହି ନାଟକର ପରିକଳ୍ପନା ଓ ନିର୍ଦ୍ଦେଶନା ଜନ୍ମଞ୍ଜୟ ମହାନ୍ତି ଦେଇଥିଲେ । ଏହି ଅବସରରେ ନାଟ୍ୟ ପ୍ରଦର୍ଶନ ଓ କଳାକାର ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚକ ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ନାଟକର ତଥ୍ୟ ଓ ଭାବ ବୁଝିଲେ ବ୍ୟକ୍ତିର ବିକାଶ ଓ ସାମର୍ଥ୍ୟର ବିକାଶ ହୋଇଥାଏ । ନାଟକ ମାଧ୍ୟମରେ ଅନେକ ଶିକ୍ଷା ମିଳିଥାଏ । ନାଟକ କେବଳ ମନୋରଂଜନ ନୁହେଁ ବରଂ ଚିତ୍ତରଞ୍ଜନ ଓ ଆନନ୍ଦ ପ୍ରଦାୟକ ହେବା ଜରୁରୀ । ଭଲ ନାଟକ ପାଇଁ ଉଭୟ କଳାକାର ଓ ପ୍ରଯୋଜକ ଦାୟିତ୍ୱବାନ ଓ ନିଷ୍ଠାପର ଉଦ୍ୟମ ଦରକାର ବୋଲି ଆଲୋଚକମାନେ ମତ ରଖିଥିଲେ । ଓଡ଼ିଶା ନାଟ୍ୟ ସଂଘ ସୁନ୍ଦରଗଡ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ସେଠୀ ଓ ସଂଘର ପଶ୍ଚିମାଞ୍ଚଳ ଯୁଗ୍ମ ସମ୍ପାଦକ ଆଲୋକ ରଂଜନ ବୋଷଙ୍କ ଆବାହକତ୍ୱରେ ଆୟୋଜିତ ପଦଯାତ୍ରା ଓ ଆଲୋଚନା ଚକ୍ରରେ ଡ଼ଃ. ସମର ମୁଦାଲି, ରାଜୀବ ପାଣି, ପ୍ରଫୁଲ୍ଲ ସାମଲ, ବିଲୋଚନ ପାତ୍ର, ସୁରେନ୍ଦ୍ର ପାଢ଼ୀ, ବ୍ରଜେନ୍ଦ୍ର ଦାଶ, ଭାସ୍କର ମହାପାତ୍ର, ମନୋଜ ବକ୍ସି, ଅଶୋକ କୁମାର ରାଉତ, ବିଜୟ ପାତ୍ର, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପାଣିଗ୍ରାହୀ, ଡ଼ଃ. କୃପାସିନ୍ଧୁ ନାୟକ, କିଶୋର ମହାରଣା, ଭାସ୍କର ଚନ୍ଦ୍ର ସାହୁ, ସତ୍ୟ ମିଶ୍ର, ପ୍ରଦୀପ୍ତ ରାୟ, ଶରତ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଘର ସୁନ୍ଦରଗଡ ଜିଲ୍ଲା ସହ ସଂଯୋଜିକା କନକଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ନାଟ୍ୟପ୍ରେମୀ, ନାଟ୍ୟକର୍ମୀ, କଳାକାରମାନେ ଯୋଗଦେଇଥିଲେ ।