ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମିଶନ ଶକ୍ତି ସଂଘର ସଭାନେତ୍ରୀ ବିଣାପାଣି ବାରିକ ଓ ସଂପାଦିକା କ୍ଷୀରମତୀ ରାଉତଙ୍କ ନେତୃତ୍ୱରେ ସିନାପାଲି ବ୍ଲକ ଅନ୍ତର୍ଗତ ୨୭ ଗୋଟି ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ସଂଘର ଶତାଧିକ କର୍ମୀ ସିନାପାଲି ବ୍ଲକ ଅଫିସ ପ୍ରାଙ୍ଗଣରେ ସାତ ଗୋଟି ନ୍ୟାର୍ଯ୍ୟଦାବି ସହ ଗଣଧାରଣାରେ ବସିଥିଲେ । ସେମାନଙ୍କ ଦାବି ଗୁଡିକ ହେଲା ମିଶନ ଶକ୍ତି କର୍ମୀ ମାନଙ୍କ ଛଅ ମାସର ବକିଆ ଦରମା ଶୀଘ୍ର ମିଳୁ, ପୂର୍ବପରି ସ୍ଥାୟୀ ଦରମା ମିଳୁ, ସ୍ଥାୟୀ ନିଯୁକ୍ତି ଦିଆଯାଉ, ଚେକ୍ ମଧ୍ୟମରେ ଦିଆଯାଉଥିବା ମାସିକ ଦରମାକୁ ନିଜ ବ୍ୟାଙ୍କ ଖାତାରେ ଦିଆଯାଉ, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଦିଆଯାଉ, ନିଜ କାର୍ଯ୍ୟ ଅନୁସାରେ ବୋନସ ପ୍ରୋତ୍ସାହନ ରାଶି ବନ୍ଦ କରାଯାଉ, ରାଜସ୍ୱ ଗ୍ରାମ ପ୍ରୋତ୍ସାହନ ବନ୍ଦ କରାଯାଉ । ମିଶନ ଶକ୍ତିର କର୍ମକର୍ତ୍ତା ମାନେ ଏସବୁ ଦାବି ଗୁଡିକ ଲିଖିତ ମାଧ୍ୟମରେ ସିନାପାଲି ବି.ଡି.ଓ ଙ୍କ ଜରିଆରେ ମାନ୍ୟବର ଓଡିଶା ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ । ଏହି ଧାରଣାରେ ନିଲାମ୍ବର ମେହେର, ଚଣ୍ଡିଚରଣ ପ୍ରଧାନ, ଦ୍ରୌପଦୀ ସାହୁ , ଦ୍ରୌପଦୀ ତାଣ୍ଡି, ଲୁନା ମେହେର, ସତ୍ୟଭାମା ମେହେର, ହରି ସିଂହ ନାୟକ, ଯଶୋବନ୍ତ ନାୟକ, ଦୈତାରି ସାଙ୍କ ସମେତ ଶତାଧିକ ମିଶନ ଶକ୍ତିର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।