- ଦେବୀ ଭଗବତୀଙ୍କ ଆବାହନ ପୂର୍ବରୁ ମା’ କାଳୀଙ୍କୁ ଆମନ୍ତ୍ରଣ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜାବିଧାନ ଆବାହନ ପୂର୍ବରୁ ମା’ କାଳୀଙ୍କୁ ଆମନ୍ତ୍ରଣ କରାଯାଇଛି । ଛତ୍ରପୁର ରିକାପଲ୍ଲୀ ସାହିସ୍ଥ ମା’ କଳ୍ପବାସିନୀ ପୀଠର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ନବରାତ୍ର ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ଗତ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣ ଏବଂ ଏହାର ଚତଃପାଶ୍ୱର୍ରେ ଥିବା ୫ଟି ସାହି ସଂଲଗ୍ନ ସମଗ୍ର ନଗର ଅଞ୍ଚଳରେ ରଙ୍ଗୀନ ଆଲୋକରେ, ସୁନ୍ଦର ତୋରଣ, ସାଜସଜ୍ଜା, ମିଞ୍ଜି ମିଞ୍ଜି ଆଲୋକରେ ନବରାତ୍ର ପୂଜା ସମ୍ଭାର ଝଲକି ଉଠିଛି । ପାର୍ବଣ ଉତ୍ସବ ପାଇଁ ମନ୍ଦିର ପ୍ରାଙ୍ଗଣ ବିଭିନ୍ନ ଉପକରଣରେ ଶୋଭାମଣ୍ଡିତ କରାଯାଇଛି । ଅଗଣିତ ଭକ୍ତଙ୍କୁ ଆକର୍ଷିତ କରିଛି । ଗତ ତିନଦିନ ଧରି ସମଗ୍ର ରିକାପଲ୍ଲୀ ଅଞ୍ଚଳଟି ଏବେ ଚଳଚଞ୍ଚଳ ହୋଇଉଠିଛି । ରବିବାର ସନ୍ଧ୍ୟାରେ ଜଳଯାତ୍ରା ସହ ନଗର ପରିଭ୍ରମଣ ସାରି ବିଲ୍ଵ ବରଣ କାର୍ଯ୍ୟ ସମାହିତ ହୋଇଛି । କଳ୍ପବାସିନୀ ପୀଠ ଉତ୍ସବମୁଖର ହୋଇଉଠିଛି । ଆରାଧ୍ୟ ଦେବୀଙ୍କ ନବଦିନାତ୍ମକ ଏହି ଯାତ୍ରା ସମ୍ଭାର ତଥା ନବରାତ୍ର ପୂଜା ଆରମ୍ଭ ହେଇଥିବା ସାଂଗକୁ ଦେବୀ ଦୁର୍ଗାଙ୍କ ଆବାହନ ସଂସ୍ଥାପନ ପୂର୍ବରୁ ମା’ କାଳୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଯାହାକି ଗଞ୍ଜାମ ଜିଲ୍ଲା ଲୋକକଳାର ମହାନ ପରମ୍ପରାର ପ୍ରତୀକ ରଣପା କାଳୀଙ୍କ ନାଚ ଏଠାରେ ଦେବୀଙ୍କ ପାର୍ବଣ ବିଧି ବିଧାନରେ କାଳୀ ନାଚ ପ୍ରସିଦ୍ଧ ଅଟେ । ତେଣୁ ଜଣେ ପୁରୁଷ ଲୋକ ରଣପା ବେଶ ସାଜି ନୃତ୍ୟଧାରୀ ମା’ କାଳୀଙ୍କ ନାଚ ନାଚିବା ଏକ ନିଆରା ପରମ୍ପରା ବଜାୟ ରହି ଆସିଛି । ସମଗ୍ର ରିକାପଲ୍ଲୀ ନଗର ପରିଭ୍ରମଣରେ ଭକ୍ତଙ୍କୁ ମା’ କାଳୀଙ୍କ ନାଚ ଚମକାଇ ଦେଇଛି । ଅମନ୍ତ୍ରଣ ହୋଇ ଆସିଥିବା ମା’ କାଳିକାଙ୍କ ନାଚରେ ପାର୍ବଣ ଉତ୍ସଵ ମୁଖରୀତ ହୋଇଛି ବୋଲି ଆଗୁଆ ସୂଚନା ଦେଇଛନ୍ତି । ଗାଆଁ ଦାଣ୍ଡ ଦ୍ଵାର ଦେଇ ମା’ ଦକ୍ଷିଣକାଳୀ ନାଚି ନାଚି ଗାଁ ସାରା ଦୁଲକାଇ ଦେଇଛନ୍ତି । ଲୌକିକ ମତରେ ବିଧି ମୁତାବକ ମା’ କାଳୀଙ୍କୁ ଆମନ୍ତ୍ରଣ କରାଯାଇଛି । ସୋମବାର ସନ୍ଧ୍ୟାରେ ଦେବୀ ଭଗବତୀଙ୍କ ଠାରେ ନବରାତ୍ରପୂଜା ଷୋଡ଼ଶ ବିଧାନ କ୍ରମେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ମଙ୍ଗଳବାରଦିନ ଦେବୀଙ୍କ ଠାରେ ସ୍ଵତନ୍ତ୍ର ପୂଜା ଆରାଧନା ଏବଂ ନୀତିକାନ୍ତି ଲାଗି ହୋଇଛି । ମା’ ବ୍ରହ୍ମଚାରିଣୀ ରୂପରେ ଦର୍ଶନ ଦେଉଛନ୍ତି । ବୁଢ଼ୀ ଠାକୁରାଣୀ ମା’ ଭଗବତୀଙ୍କ ଠାରେ ପଣ୍ତିତଙ୍କ ବେଦ ମନ୍ତ୍ରରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଛି । ମା’ ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜା କମିଟିର ସଭାପତି ସୁନୀଲ କୁମାର ଗୌଡ଼, ସମ୍ପାଦକ ବିଜୟାନନ୍ଦ ନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟ ପରିଚାଳକ ତଥା ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଏହି କାର୍ଯ୍ୟକ୍ରମରେ ନୀତି ନିଷ୍ଠାପର ଭାବେ ଦାୟିତ୍ଵ ନିର୍ବାହ କରିବାରେ ସକ୍ରୀୟ ଅଂଶଗ୍ରହଣ କରିଆସିଛନ୍ତି ।