କେନ୍ଦ୍ରୀୟ ପୂଜା କମିଟି ତରଫରୁ ସିପିସି ନାଇଟ୍ ଓ ପୁରସ୍କାର ବିତରଣ ଆସନ୍ତାକାଲି

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ପୂଜା କମିଟି, ରାଉରକେଲା ର୨୦୨୪-୨୫ ପାଇଁ ପୁରସ୍କାର ବିତରଣ ଓ ସିପିସି ନାଇଟ୍ ଆସନ୍ତାକାଲି ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ସେକ୍ଟର ୧୭ ସମଲେଶ୍ଵରୀ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଆଜି ସେକ୍ଟର ୪ ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ସାଧାରଣ ସମ୍ପାଦକ ମୁକ୍ତିକାନ୍ତ ବେହେରା ଏ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଚଳିତ ବର୍ଷ କ୍ଲାସିକାଲ, ଓରିଏଣ୍ଟାଲ ଓ ଟ୍ରାଡିସନାଲ ଦୁର୍ଗାପୂଜା ମୂର୍ତ୍ତି ଓ ଅନ୍ୟାନ୍ୟ ବିଭାଗରେ ୪୨ଟି ପେଣ୍ଡାଲକୁ ପୁରସ୍କୃତ କରାଯିବ । ସେଥିରେ କାଳିପୂଜା ଓ ଲକ୍ଷ୍ମୀ ପୂଜା ପେଣ୍ଡାଲ ଗୁଡ଼ିକ ଅନ୍ତର୍ଭୁକ୍ତ । ଏହା ସହ ସୁନାମଧନ୍ୟ ଗୀତ ସାଗର ମେଲୋଡି ତରଫରୁ ୬ଜଣ ସଂଗୀତ ଶିଳ୍ପୀ ଓ ୪ ଜଣ ନୃତ୍ୟ ଶିଳ୍ପୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେମାନଙ୍କ ମଧ୍ୟରେ ଅର୍ପିତା ଚୌଧୁରୀ, ଦେବଜାନୀ, ଶଙ୍କର ଦାନ ଅନ୍ୟତମ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତାଗୀରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉଦଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ଏସ୍‌ପି ନିତେଶ ୱଧୱାନୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଓ ସ୍ୱତନ୍ତ୍ର ଅତିଥି ଭାବେ ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ, ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେବେ । ଏହି ଅବସରରେ କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ ଓ ରବିନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ପ୍ରଣୟ ନାୟକ, ସିଭିଲ ଟାଉନସିପ ଅଞ୍ଚଳରୁ ସହ ସମ୍ପାଦକ ରାକେଶ ଶର୍ମା ଓ କାର୍ଯ୍ୟକାରୀ ସଦସ୍ୟ ରାହୁଲ ରାୟ ଓ ଆବାହକ କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.