ଓଡ଼ିଶା ଆଶାକର୍ମୀ ଆସୋସିଏସନ୍‌ର ଷଷ୍ଠ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

  • ଆଶାକର୍ମୀ ମାନଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା ପାଇଁ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ସହବନ୍ଧିତ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ସୁନ୍ଦରଗଡ଼ ଜିଲ୍ଲା କମିଟିର ଷଷ୍ଠ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ଆସୋସିଏସନ୍‌ର ସଭାପତି ହୃଦୟାନନ୍ଦ ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି । ସେ ତାଙ୍କ ଉଦଘାଟନୀ ବକ୍ତବ୍ୟରେ କହିଥିଲେ ଆଜିର ଦିନରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଆଶାକର୍ମୀ ମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସରକାର ସେମାନଙ୍କ ଭୂମିକାକୁ ଗୁରୁତ୍ଵ ଦେଉ ନାହାନ୍ତି ଏବଂ ସେମାନଙ୍କୁ ଶ୍ରମିକର ମାନ୍ୟତା ନ ଦେଇ ସ୍ୱେଚ୍ଛାସେବୀ ଭାବରେ ବିବେଚନା କରିବା ଫଳରେ ସ୍ଵାସ୍ଥ୍ୟ ଭଳି ଏକ ସମ୍ବେଦନଶୀଳ ବିଭାଗରେ କାର୍ଯ୍ୟ କରୁଥିବା ଆଶାକର୍ମୀମାନେ ବହୁ ଦୁର୍ଦ୍ଦିନରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ସରକାର ତୁରନ୍ତ ସେମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା ସହିତ ସାମାଜିକ ସୁରକ୍ଷା ଓ ମାସିକ ୨୬ ହଜାର ଟଙ୍କା ଦରମା ପ୍ରଦାନ ପାଇଁ ସିଆଇଟିୟୁ ନେତୃତ୍ୱରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବା ପାଇଁ ସେ ଆହ୍ୱାନ କରିଛନ୍ତି ଓ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଂଚଳର ଆଶାକର୍ମୀ ମାନଙ୍କୁ ସିଆଇଟିୟୁରେ ସାମିଲ କରିବା ସହିତ ରାଜ୍ୟବ୍ୟାପୀ ସଂଗଠନକୁ ସୁଦୃଢ କରିବା ସହିତ ଦାବି ଆଦାୟ ପାଇଁ ଆନ୍ଦୋଳନକୁ ତୀବ୍ର କରିବାକୁ ପରାମର୍ଶ ଦେଇଛନ୍ତି । ସେ ଓଡ଼ିଶାର ଡବଲ ଇଞ୍ଜିନ ସରକାର ଙ୍କ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବ୍ୟର୍ଥ ହୋଇଥିଲା ବେଳେ ମହିଳା ମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟ କରିବା ପାଇଁ ଆଇନ ପ୍ରଣୟନକୁ କଟୁ ସମାଲୋଚନା କରିଥିଲେ । ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ରାଜ୍ୟ କମିଟି ସଦସ୍ୟ ରାଜକିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ବି ପି ମହାପାତ୍ର, କୃଷକ ସଭା ନେତା ସୁରେନ୍ଦ୍ର ଦାଶ, ଲକ୍ଷ୍ମୀଧର ନାୟକ, ଅରୁ ଦାସ ପ୍ରମୁଖ ବକ୍ତବ୍ୟ ରଖି ଆଶାକର୍ମୀ ମାନଙ୍କ ସମ୍ମିଳନୀର ସଫଳତା କାମନା କରିବା ସହିତ ସମସ୍ତ ଆନ୍ଦୋଳନରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସମ୍ମିଳନୀର ଆସୋସିଏସନ୍‌ର ସାଧାରଣ ସମ୍ପାଦିକା ଶକୁନ୍ତଳା ମହାକୁଡ଼ ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ ଓ ଉକ୍ତ ରିପୋର୍ଟ ଉପରେ ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ସେକ୍ଟରରୁ ଆସିଥିବା ଆଶାକର୍ମୀ ପ୍ରତିନିଧିମାନେ ଆଲୋଚନାର ମତ ରଖିବା ସହିତ ରିପୋର୍ଟ ସର୍ବସମ୍ମତିକ୍ରମେ ସମ୍ମିଳନୀରେ ଗୃହିତ ହୋଇଛି । ସମ୍ମିଳନୀରେ ଆସୋସିଏସନ୍‌ର ରାଜ୍ୟ ଉପ ସଭାପତି ସୁରେଶ ସ୍ୱାଇଁ ବକ୍ତବ୍ୟ ରଖି ସିଆଇଟିୟୁ ନେତୃତ୍ୱରେ ଓଡ଼ିଶାରେ ଆଶାକର୍ମୀ ମାନେ ବିଗତ ଦିନରେ ଯେଉଁ ଆନ୍ଦୋଳନ ମାନ ସଂଗଠିତ କରିଛନ୍ତି ସେଥିପାଇଁ ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ପାଇଁ ସଂଗଠନକୁ ସୁଦୃଢ କରିବା ସହିତ ଆନ୍ଦୋଳନ କୁ ତୀବ୍ର କରିବାକୁ ଆହ୍ୱାନ ଦେଇଛନ୍ତି । ଶେଷରେ ଏକ ୫୫ ଜଣିଆ ଜିଲ୍ଲା କମିଟି ଓ ୧୮ ଜଣିଆ ଜିଲ୍ଲା କର୍ମକର୍ତ୍ତା କମିଟି ସମ୍ମିଳନୀରେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି । ସଭାପତି ଭାବରେ ଅଭୟ ସସ୍ମିତା ଖେସ, କାର୍ଯ୍ୟକାରୀ ସଭାପତି ଭାବରେ ଶକୁନ୍ତଳା ମହାକୁଡ଼, ହୃଦୟାନନ୍ଦ ଯାଦବ, ସାଧାରଣ ସମ୍ପାଦିକା ଭାବେ ନିରୁପମା ସାହୁ, ଉପ ସଭାନେତ୍ରୀ ଭାବେ ଅନିମା ଲାକ୍ରା, ରୀତାରାଣି ମାନା, ସରୋଜିନୀ ଦାସ, ସିପ୍ରାନ୍ତି ଟପ୍ନୋ, ବୀଣା ନାୟକ, ସଂପାଦିକା ଭାବେ ସୁଶିଳା ଓରାମ, ଜୟନ୍ତୀ ପାଣ୍ଡବ, ଲକ୍ଷ୍ମୀ ଗଞ୍ଜୁ, ଲୀନା ଡୁଙ୍ଗଡୁଙ୍ଗ, ଲୀଲୋ ଏକ୍କା ପ୍ରମୁଖ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.