
ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଷାଠିଏ ଦଶକରୁ ଅଧିକ ସମୟ ଧରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପୀଠସ୍ଥଳୀ ରୂପେ ଆଦର୍ଶ ପାଠାଗାର ଓଡ଼ିଆ ଅସ୍ମିତାର ଥିଲା କୀର୍ତ୍ତିସ୍ତମ୍ଭ । ପୁସ୍ତକମେଳା ଠାରୁ ଆରମ୍ଭ କରି ସମୟାନ୍ତରରେ ବିଭିନ୍ନ ସାହିତ୍ୟ ସଂପାନମାନ ଆୟୋଜନ କରି ରାଉରକେଲାର ସାରସ୍ଵତ ପରିମଣ୍ଡଳକୁ ଏ ଅନୁଷ୍ଠାନ କରୁଥିଲା ଝଙ୍କୃତ । ଦୀର୍ଘ ବର୍ଷର ଦାବି, ନିବେଦନ, ଆବେଦନ ପରେ ବି ମଧ୍ୟ ହଜାର ହଜାର ଓଡ଼ିଆ ଭାଷାଭାଷୀ ବୁଦ୍ଧିଜୀବୀମାନଙ୍କର ଆଶା ଆକାଂକ୍ଷାକୁ ଧୂଳିସାତ୍ କରି ବକ୍ରଚଞ୍ଚୁରେ ରାଉରକେଲା ଇସ୍ପାତ କାରଖାନା ଏହାକୁ କରଗତ କରି ଭାଷା- ସାହିତ୍ୟ- ସଂସ୍କୃତିର ଏ ମହାନ ପୀଠକୁ ନିଜ କବଜା୍କୁ ନେଇଯିବା ପରେ ଓଡ଼ିଆ ଅସ୍ମିତାର ସାରସ୍ଵତ ମୃତ୍ୟୁ ଘଟିଛି । ରାଉରକେଲା ସାରସ୍ଵତ ଯଜ୍ଞର ଏ ଆଦିପୀଠର ଐତିହାସିକ ପରାଜୟ, ଓଡ଼ିଆ ଅସ୍ମିତାର ପରାଜୟ । ଜନସାଧାରଣଙ୍କ ଅର୍ଥରେ ରାଜ୍ୟସରକାରଙ୍କ ଭୂମିରେ ନିର୍ମିତ ହୋଇଥିବା ଏକ ଐତିହାସିକ ଅନୁଷ୍ଠାନକୁ ଆଦର୍ଶ ପାଠାଗାର ପରିଚାଳନା କମିଟିକୁ ହସ୍ତାନ୍ତର କରିବା ପାଇଁ ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର , ସଭାପତି ପ୍ରଶାନ୍ତ କୁମାର ପତି, ଉପସଭାପତି କବି ବଳରାମ ରାଉଳଙ୍କ ସମେତ ଧନଞ୍ଜୟ ମଲ୍ଲିକ, ଚନ୍ଦ୍ରଶେଖର ପାଇକରାୟ, କବି ପ୍ରତାପ କୁମାର ପଣ୍ଡା, ଅଶୋକ କୁମାର ରାଉତ ପ୍ରମୁଖ ଏକ ମିଳିତ ବିବୃତିରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି ।