ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

• ଝାରସୁଗୁଡ଼ା- ବାରକୋଟ୍, ଅନୁଗୋଳ-ତାଳଚେର, ତାଳଚେର-ବିମଳାଗଡ଼ ସହ ଓଡ଼ିଶାର ପ୍ରମୁଖ ରେଳ ପ୍ରକଳ୍ପ ହେଉଛି ତ୍ୱରାନ୍ୱିତ : ଧର୍ମେନ୍ଦ୍ର ପ୍ରଧାନ
• ବୈଠକରେ କଟକ, ଢେଙ୍କାନାଳ, ବରଗଡ଼, ଆସ୍କା ଓ କନ୍ଧମାଳ ସାଂସଦ ପ୍ରମୁଖ ଉପସ୍ଥିତ
• ଓଡ଼ିଶାରେ ରେଳ ବିଭାଗ ପକ୍ଷରୁ ୯୦ ହଜାର କୋଟି ଟଙ୍କାର କାମ କ୍ରିୟାନ୍ୱୟନ ହେଉଛି
• ଖୋର୍ଦ୍ଧା-ବଲାଙ୍ଗିର,ବରଗଡ଼ ରୋଡ-ନୂଆପଡ଼ା ରୋଡ- ରାୟପୁର ରେଳଲାଇନ, ରେଳଲାଇନ, ଖୋର୍ଦ୍ଧା –ବଲାଙ୍ଗିର ରେଳ ଲାଇନ, ସମ୍ବଲପୁର- ଜରପଡ଼ା ତୃତୀୟ ରେଳଲାଇନ ଓ ଚତୁର୍ଥଲାଇନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା
• ସମ୍ବଲପୁର ଜରପଡାରୁ ତେନ୍ତୁଲୋଇ ମଧ୍ୟ ଦେଇ ବୁଢ଼ାପଙ୍କ ପର୍ଯ୍ୟନ୍ତ ଆଉଟର କୋଲ୍ କୋରିଡର କରିବାର କଳ୍ପନା
• ଅନୁଗୋଳର ବଇଁଣ୍ଡାରୁ ଏକ ସଂଯୋଗ ଲାଇନ କିପରି ବଲାଙ୍ଗିର – ଖୋର୍ଦ୍ଧା ଲାଇନରେ ବୌଦ୍ଧ ପର୍ଯ୍ୟନ୍ତ ଯୋଡିବା ଉପରେ ଚର୍ଚ୍ଚା
• ଦକ୍ଷିଣ ଓଡ଼ିଶାର ଭଞ୍ଜନଗର ଓ ଆସ୍କା ସବଡିଭିଜନ ଏବଂ କନ୍ଧମାଳର ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟଓ୍ୱାର୍କ ସଂଯୋଗ କରିବା ସରକାରଙ୍କ ଯୋଜନାରେ ରହିଛି
• ଏହି ରେଳଲାଇନ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଗତି ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର,(ପିଆଇବି) : ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟତ ସହ ପରିବହନ ପଥକୁ ସୁଗମ କରିବା ତଥା ରେଳ ନେଟଓ୍ୱାର୍କକୁ ସୁଦୃଢ଼ କରିବା ଦିଗରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଦଳୀୟ ସାଂସଦମାନଙ୍କ ମଧ୍ୟରେ ସବିଶେଷ ଆଲୋଚନା ହୋଇଛି । ଶ୍ରୀ ପ୍ରଧାନ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାଗରିକଙ୍କ ଯାତାୟତ, ଶିଳ୍ପ ଏବଂ ଖଣିଜ କ୍ଷେତ୍ରର ବିକାଶ ସହ କୃଷି ଉତ୍ପାଦିତ ସାମଗ୍ରୀକୁ ଦେଶ ବଜାର ସହ ଯୋଡିବାରେ ରେଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ କଳ୍ପନା’ରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଡବଲ ଇ଼ଞ୍ଜିନ ସରକାର ଗୁରୁତ୍ୱ ଦେଇଛନ୍ତି । ପୂର୍ବ ସରକାର ଅପେକ୍ଷା ମୋଦୀ ସରକାରରେ ବିଗତ ୧୧ ବର୍ଷରେ ଓଡ଼ିଶାକୁ ରେଳ ବଜେଟରେ ରେକର୍ଡସଂଖ୍ୟକ ଅର୍ଥ ମିଳୁଛି । କଂଗ୍ରେସ ଅମଳରେ ଓଡ଼ିଶାରୁ ବାର୍ଷିକ ଏକ ହଜାର କୋଟି ଟଙ୍କା ମିଳୁଥିଲା ବେଳେ ମୋଦୀ ସରକାରରେ ପ୍ରତି ବର୍ଷ ଓଡ଼ିଶା ପାଇଁ ରେଳ ବଜେଟରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଓଡ଼ିଶାରେ ରେଳ ବିଭାଗ ପକ୍ଷରୁ ନୂଆ ରେଳଲାଇନ, ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନ ପାଇଁ ପାଖାପାଖି ୯୦ ହଜାର କୋଟି ଟଙ୍କାର କାମ କ୍ରିୟାନ୍ୱୟନ ହେଉଥିବା ନେଇ ବିଭାଗୀୟ ମନ୍ତ୍ରୀ ଅବଗତ କରାଇଛନ୍ତି । ବୈଠକରେ ଝାରସୁଗୁଡ଼ା- ବାରକୋଟ୍ ରେଳଲାଇନ, ଅନୁଗୋଳ-ତାଳଚେର ନୂଆ ରେଳଲାଇନ, ବରଗଡ଼ ରୋଡ-ନୂଆପଡ଼ା ରୋଡ- ରାୟପୁର ରେଳଲାଇନ, ତାଳଚେର-ବିମଳାଗଡ଼ ରେଳଲାଇନ, ବହୁପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗିର ରେଳ ଲାଇନ, ସମ୍ବଲପୁର- ଜରପଡ଼ା ତୃତୀୟ ରେଳଲାଇନ ଓ ଚତୁର୍ଥଲାଇନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜରପଡାରୁ ତେନ୍ତୁଲୋଇ ମଧ୍ୟ ଦେଇ ବୁଢ଼ାପଙ୍କ ପର୍ଯ୍ୟନ୍ତ ଆଉଟର କୋଲ୍ କୋରିଡର କରିବାର କଳ୍ପନା ଉପରେ ଆଲୋଚନା ହୋଇଛି । ବିଶେଷ ଭାବରେ ରେଳଲାଇନର କାର୍ଯ୍ୟକୁ ଆଗେଇ ନେବାରେ ଉପୁଜିଥିବା ଜମିଗ୍ରହଣ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି । ବୈଠକରେ ଅନୁଗୋଳର ବଇଁଣ୍ଡାରୁ ଏକ ସଂଯୋଗ ଲାଇନ କିପରି ବଲାଙ୍ଗିର – ଖୋର୍ଦ୍ଧା ଲାଇନରେ ବୌଦ୍ଧ ପର୍ଯ୍ୟନ୍ତ ଯୋଡିହେବ, ତାହାର ମଧ୍ୟ କଳ୍ପନା କରାଯାଇଛି, ଯାହା ଏକ ସେତୁ ଭାବରେ କାମ କରିବ । ଦକ୍ଷିଣ ଓଡ଼ିଶାରେ ଭଞ୍ଜନଗର ଓ ଆସ୍କା ସବଡିଭିଜନ ରେଳ ଲାଇନରୁ ବଞ୍ଚିତ ଅଛନ୍ତି । ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳଲାଇନ ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମର ଆସ୍କା ଅଞ୍ଚଳକୁ ସଂଯୋଗ ହେଲେ ଓଡ଼ିଶାର ରେଳ ନେଟଓ୍ୱାର୍କ ସୁଦୃଢ଼ ହେବ । ଏହାବ୍ୟତୀତ କନ୍ଧମାଳର ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟଓ୍ୱାର୍କ ସଂଯୋଗ କରିବା ଦିଗରେ ମଧ୍ୟ ସରକାର ଯୋଜନା ରଖିଛନ୍ତି, ଯେଉଁ ପ୍ରସଙ୍ଗରେ ବୈଠକରେ ବିଚାରବିମର୍ଶ ହୋଇଥିଲା । ସେ ଆହୁରି କହିଛନ୍ତି, ଓଡ଼ିଶାର କୋଇଲା ଉତ୍ପାଦନକାରୀ ଅଞ୍ଚଳ ଗୁଡ଼ିକରେ ନାଗରିକ ସୁବିଧା ଓ ରେଳ ପରିବହନକୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯାଉଛି । ଏହି ସବୁ ପଦକ୍ଷେପ ଦ୍ୱାରା ରେଳ ଲାଇନ କୋଇଲା ଉତ୍ପାଦନକାରୀ ଅଞ୍ଚଳରୁ ବନ୍ଦର ଅଞ୍ଚଳକୁ ଯୋଡିହେବ । ଏହା ଦ୍ୱାରା ମାଲ ପରିବହନ ସହଜ ହେବ ଏବଂ ଓଡ଼ିଶାର ଦ୍ରୁତ ଶିଳ୍ପାୟନର ବିକାଶରେ ସହାୟକ ହେବ । ରେଳ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବ । ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରଗତି ଘଟିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.