ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଳ୍ପ ବିହିନ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଦାବୀ ହୋଇ ଆସୁଅଛି । ବର୍ତ୍ତମାନ ସମ୍ବଲପୁରଠାରେ କୃଷି ବିଶ୍ୱ ବିଦ୍ୟାଳୟ ଏବଂ ବଲାଙ୍ଗିର ଠାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନୀତିଗତ ଭାବେ ଘୋଷଣା କରିବା ପ୍ରସଙ୍ଗ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାର ପ୍ରତିକ୍ରିୟା ସ୍ୱରୁପ ବଲାଙ୍ଗିରରେ ବ୍ୟାପକ ଆଲୋଡନ ସୃଷ୍ଟି ହୋଇ ସଂପୃକ୍ତ ଘୋଷଣାନାମାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଏହାର ପ୍ରତିବାଦରେ ବଲାଙ୍ଗିର ବୁଦ୍ଧିଜିବୀମାନଙ୍କ ପକ୍ଷରୁ ସ୍ଥାନୀୟ ଭାଗିରଥି ଛକଠାରେ ଏକ ପଥପ୍ରାନ୍ତ ସଭାରେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଶିକ୍ଷାବିତ, ସାମାଜିକ କର୍ମୀ, ଦଳମତ ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ ବଲାଙ୍ଗିର ଜିଲ୍ଲାର ନ୍ୟାର୍ଯ୍ୟ ଦାବୀ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୃଢ ଦାବୀ ଜଣାଇଁ ଜିଲ୍ଲାରେ ଏହି ପ୍ରକଳ୍ପର ଭିତ୍ତିଭୂମି ସମ୍ପର୍କିତ ବିଷଦ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ନ ହେଲେ ବ୍ୟାପକ ଆନ୍ଦୋଳନର ସୁତ୍ରପାତ ହେବ ବୋଲି ବକ୍ତା ସମୁହ ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ବିରେନ୍ଦ୍ର ବନଛୋର, ଆଇନଜୀବୀ ରତନ ମହାରଣା, ଶିକ୍ଷାବିତ୍ କିଶୋର ପାଣିଗ୍ରାହୀ, ବାମପନ୍ଥୀ ନେତା ଅଶୋକ ମିଶ୍ର, ସୁନିଲ ଭୋଇ, ଯୁବ ନେତା ନାଶିର ଖାନ ପ୍ରମୁଖ ଉଦ୍ବୋଧନ ଦେଇ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି । ଏହି ପଥପ୍ରାନ୍ତ ସଭାରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସୟେଦ ଆଫତାପ ହୁସେନ ଏବଂ ସାଜିତ ହୁସେନ କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବଶ୍ରୀ ଉଦିତ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ଶର୍ମା, ମୋହନ ରଞ୍ଜନ ପାଣ୍ଡିଆ, କୁନୁ ନାୟକ, ପ୍ରଦୀପ ଗୁରୁ ପ୍ରମୁଖ ସହରର ବହୁ ବୁଦ୍ଧିଜିବୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
