ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଭୁବନେଶ୍ବରରେ ‘ନିଶାମୁକ୍ତ ଭାରତ ଅଭିଯାନ’

ଭୁବନେଶ୍ବର, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୫-୧୬ ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ ପାଳନ କରାଯାଉଛି । ଏହି କ୍ରମରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବରର ନ୍ୟୁଲାଇଫ ଓ୍ବେଲନେସ ଟ୍ରଷ୍ଟ, କୌଶିକ୍ ଡ୍ରଗ ଡି-ଆଡିକ୍ସନ ସେଣ୍ଟର ଓ ଗ୍ୟାଲେରିଆ ମଲରେ ନିଶାମୁକ୍ତ ଭାରତ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେହିପରି ଅଗଷ୍ଟ ୧୬ ତାରିଖରେ ଏଭିଏ ଡ୍ରଗ ଡି-ଆଡିକ୍ସନ ସେଣ୍ଟର, ଏସପ୍ଲାଣ୍ଡ ମଲ୍ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏସବୁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଲୋକମାନଙ୍କ ମଧ୍ୟରେ, ବିଶେଷକରି ଯୁବପିଢିଙ୍କ ମଧ୍ୟରେ, ନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି । କାର୍ଯ୍ୟକ୍ରମ ଅଧିନରେ ସ୍କୁଲ, ରେଳ ଷ୍ଟେସନ, ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନ ଓ ଗ୍ରାମାଞ୍ଚଳରେ ନିଶାବିରୋଧୀ ଜନସଚେତନତା ସୃଷ୍ଟି କରାଯାଉଛି । ଏନସିବି, ଭୁବନେଶ୍ବର ବ୍ୟତୀତ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ଯେପରିକି ସୀମା ସୁରକ୍ଷା ବଳ (ବିଏସଏଫ), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ), ରେଳ ସୁରକ୍ଷା ବଳ, ସିଜିଏସଟି ଓ କଷ୍ଟମ୍ସ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଓ ଓଡ଼ିଶା ପୁଲିସ ପକ୍ଷରୁ ଏହି ଅଭିଯାନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସବୁ କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ଏବଂ ନିଶାଚାଲାଣକାରୀଙ୍କ ବିରୋଧନରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି ।

jittmm
Leave A Reply

Your email address will not be published.