- ବିଶ୍ୱ ଦ୍ରଷ୍ଟା ଥିଲେ ପ୍ରକୃତି କବି ଗଙ୍ଗାଧର ମେହେର
ମ.ରାମପୁର, (ପି.କେ. ସାହୁ) : ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟାନ୍ତର ନାହିଁ । ସେ କେବଳ କବି ନୁହଁନ୍ତି, ଜଣେ ଦାର୍ଶନିକ ଥିଲେ । ପ୍ରକୃତି କବି ଗଙ୍ଗାଧର ଥିଲେ ବିଶ୍ୱ ଦ୍ରଷ୍ଟା ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ, ବରଗଡ଼ର ସଭାପତି ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ (ରାୟଗଡା) ଯୋଗଦେଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । କବି ନବଘନ ସାହୁ, କବି ମକରଧ୍ଵଜ ସାହୁ, କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ ସଂଯୋଜନାରେ ୩୦ରୁ ଅଧିକ କବି କବିତା ପାଠ କରିଥିଲେ । ଏହା ପରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉପ ସଭାପତି ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ, ପବନ ମହାଲିକଙ୍କ ପରିଚାଳନାରେ କରାଯାଇଥିଲା । ସହ ସମ୍ପାଦକ ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।