ଜୟପାଟଣା, (ଶେଷଦେବ ବେହେରା) : ଦୁଃଖର ଅସୁମାରୀ ବୋଝକୁ ବର୍ଷ ବର୍ଷ ଧରି ମୁଣ୍ଡେଇ ଆସିଥିବା ଜୟମନିଙ୍କ ଭାଗ୍ୟରେ ପୁଣି ଏକ ଛାତିଫଟା ବିପଦ କାଳରାତ୍ରୀ ହୋଇ ଦେଖାଦେଲା । ଶାଶୁ ଓ ଶ୍ୱଶୁରଙ୍କ ମୃତ୍ୟୁକୁ ଭୁଲି ସାରି ପୁଣି ଏକ ଛୋଟ ପରିବାର ନେଇ ସ୍ୱପ୍ନ ଆଙ୍କୁ ଥିବା ଜୟମନି ପାଇଁ ତାହା ମଧ୍ୟ କ୍ଷଣସ୍ଥାୟୀ ହୋଇଗଲା । କୋଳକୁ ଛୋଟ ପୁଅ ଟିଏ ଆସିବାର ବର୍ଷକ ପରେ ସ୍ଵାମୀ କେଶାଇ ମାଝୀ ମଧ୍ୟ ଆର ପାରିକି ଚାଲିଗଲେ । ଅନ୍ତେଷ୍ଟି ପରେ ଆରମ୍ଭ ହୋଇଗଲା ଜୀବନ ଧାରଣର ଯନ୍ତ୍ରଣା । ଏବେ ପରିବାର କହିଲେ ଏକ ବର୍ଷର ଶିଶୁ ପୁତ୍ର ଓ ଭିନ୍ନକ୍ଷମ ଦିଅର ମଙ୍ଗୁ ମାଝୀ । ତିନି ଜଣଙ୍କ ଭୋକିଲା ପେଟରେ ସବୁବେଳେ ଆହାରର ଚିନ୍ତା ରହିଲା । ଗୋଟିଏ ଗୋଡରେ ଜୀବନ ବିତାଉଥିବା ମଙ୍ଗୁ କାମ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ । ସେହି ସମୟରେ ବୈଧବ୍ୟର ଯନ୍ତ୍ରଣାକୁ ଭୁଲି ପରିବାରକୁ ଭାଙ୍ଗିବାକୁ ଦେଲେ ନହେିଁ ଜୟମନି । ପରିବାର ମଧ୍ୟରେ ମାଆର ଭୂମିକା ନେଲେ । ପନ୍ଦର କିଲୋ ସରକାରୀ ଚାଉଳ ସାଙ୍ଗକୁ ମଙ୍ଗୁଙ୍କ ମାସିକ ଭିନ୍ନକ୍ଷମ ଭତ୍ତା ଏକ ହଜାର ଟଙ୍କା ଉପରେ ମାସକର ଖର୍ଚ୍ଚ । ଏସବୁ ସତ୍ତ୍ୱେ ମଝିରେ ମଝିରେ ଚୁଲି ବନ୍ଦ ହେଲା । କିନ୍ତୁ ଭାଙ୍ଗି ପଡ଼ି ନ ଥିଲେ ଜୟମନି । ବିଧବା ଭତ୍ତା ପାଇଁ ଅନେକଙ୍କୁ ଗୁହାରି କଲେ । କିନ୍ତୁ ସ୍ୱାମୀ ମୃତ୍ୟୁର ଚାରିବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ଟିକକ ହୋଇ ପାରିଲା ନାହିଁ । ଏବେ ମଙ୍ଗୁ ଇନ୍ଦ୍ରାବତୀ ପାୱାର ଚ୍ୟାନେଲରେ ବୁଡି ଯାଇ ମୃତ୍ୟୁ ବରଣ କରିଥିବା ଘଟଣା ପୁଣି ଏକ ବିଦାରକ ଦୃଶ୍ୟ ପଟ ତିଆରି କରିଛି । ଦିଅରର ଭତ୍ତା ଟଙ୍କା ଉପରେ ପରିବାରର ବୋଝ ରହିଥିବା ବେଳେ ଏବେ ମଙ୍ଗୁଙ୍କ ଅନ୍ତେଷ୍ଟି ପାଇଁ ମଧ୍ୟ ହାତରେ କିଛି ନାହିଁ । ସମସ୍ତ କଷ୍ଟକୁ ସାଉଁଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଜୟମନି । ଏମିତି କଷ୍ଟର ବେଳାରେ ସାମାଜିକ କିମ୍ବା ପ୍ରଶାସନିକ ସହଯୋଗ ନ ହେଲେ ପରିବାର ସମ୍ପୂର୍ଣ୍ଣ ଉଜୁଡ଼ି ଯିବ ବୋଲି ଆଲୋଚନା ହେଉଛି ।
