ଥ୍ରୀ ଏନ୍‌ଏମ୍ ଚିପ୍ ଡିଜାଇନ୍ ଏବଂ ପ୍ରତିଭା ବିକାଶ ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତର ସେମିକଣ୍ଡକ୍ଟର ଅଭିଯାନ

• ପ୍ରତିଭା ଏବଂ ଶିଳ୍ପ ସମର୍ଥନ ସହିତ ଏଣ୍ଡ-ଟୁ-ଏଣ୍ଡ ଚିପ୍ ଇକୋସିଷ୍ଟମ୍ ପାଇଁ ସରକାର ଜୋର ଦେଉଛନ୍ତି
• ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ଘରୋଇ କ୍ଷମତା ବୃଦ୍ଧି, ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟି, ସ୍ୱଦେଶୀ ଡିଜିଟାଲ୍ ଭିତ୍ତିଭୂମିକୁ ସକ୍ଷମ କରାଯାଉଛି
• ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତକୁ ଏକ ଭରସାଯୋଗ୍ୟ ବିଶ୍ୱ ଅଂଶୀଦାର ଭାବରେ ସ୍ଥାନିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ବିଶ୍ୱର ପ୍ରାୟ ୨୦% ଚିପ୍ ଡିଜାଇନ୍ ଇଞ୍ଜିନିୟର ଅଛନ୍ତି । ଏହି ଦୃଢ଼ ପ୍ରତିଭା ଆଧାରକୁ ନେଇ ସରକାର ଭାରତରେ ଏକ ସ୍ୱୟଂସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକାଶ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିଛନ୍ତି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକ ଭାରତରେ ଚିପ୍ ଡିଜାଇନ୍ ଏବଂ ଗବେଷଣା କେନ୍ଦ୍ର ସ୍ଥାପନ କରିଛନ୍ତି । ଭାରତରେ ଡିଜାଇନ୍ ହୋଇଥିବା ଏକ ଥ୍ରୀ ଏନ୍‌ଏମ୍‌ ସେମିକଣ୍ଡକ୍ଟର ଚିପ୍ ନିକଟରେ ଉନ୍ମୋଚିତ ହୋଇଥିଲା । ଏହା ଭାରତୀୟ ଇଞ୍ଜିନିୟରମାନଙ୍କର ବୈଷୟିକ କ୍ଷମତା ଏବଂ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଭାରତୀୟ ଡିଜାଇନ୍ କେନ୍ଦ୍ରଗୁଡ଼ିକର ଗୁରୁତ୍ୱକୁ ପ୍ରଦର୍ଶନ କରେ । ସେ ଆହୁରି କହିଛନ୍ତି, ସେମିକଣ୍ଡକ୍ଟର ଚିପ୍ ଡିଜାଇନରେ ପ୍ରତିଭା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭିଏଲ୍‌ଏସ୍‌ଆଇ ଡିଜାଇନ୍ ଏବଂ ପ୍ରଯୁକ୍ତିବିଦ୍ୟା, ସମନ୍ୱିତ ସର୍କିଟ୍ (ଆଇସି) ଉତ୍ପାଦନ ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ନୂତନ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି । ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ୮୫ ହଜାର କୁଶଳୀ ମାନବ ସମ୍ବଳ ବିକଶିତ କରିବା ଏବଂ ସେମିକଣ୍ଡକ୍ଟର ଚିପ୍ସ ଡିଜାଇନ୍ କରିବା ପାଇଁ ଇଡିଏ ଉପକରଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନସୁଦ୍ଧା ୧୦୦ଟି ପ୍ରତିଷ୍ଠାନରୁ ୪୫ ହଜାରରୁ ଅଧିକ ଛାତ୍ର ପଞ୍ଜୀକୃତ ହୋଇଛନ୍ତି । ଏହାବ୍ୟତୀତ ଏନ୍‌ଆଇଇଏଲ୍‌ଟି କାଲିକଟରେ ଦକ୍ଷ ମାନବ ସମ୍ବଳ ଉନ୍ନତ ଗବେଷଣା ଓ ତାଲିମ (ସ୍ମାର୍ଟ) ଲ୍ୟାବ ଦେଶବ୍ୟାପୀ ୧ ଲକ୍ଷ ଇଞ୍ଜିନିୟରଙ୍କୁ ତାଲିମ ଦେଉଛି । ବର୍ତ୍ତମାନ ସୁଦ୍ଧା ୪୪ ହଜାରରୁ ଅଧିକ ଇଞ୍ଜିନିୟର ତାଲିମ ନେଇସାରିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ଲାମ୍ ରିସର୍ଚ୍ଚ, ଆଇବିଏମ ଓ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱବିଦ୍ୟାଳୟ ସହିତ ସହଭାଗିତା ସ୍ଥାପନ କରାଯାଇଛି । ଦେଶର ବୃହତ ପ୍ରତିଭା ଭଣ୍ଡାରକୁ ଲାଭ ଦେଇ, ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଡିଜାଇନ୍ କମ୍ପାନୀଗୁଡ଼ିକ ଏବେ ଅତ୍ୟାଧୁନିକ ଚିପ୍ସ ଡିଜାଇନ୍ କରିବା ପାଇଁ ଭାରତରେ ସେମାନଙ୍କର କାର୍ଯ୍ୟବଳକୁ ଦ୍ରୁତ ଗତିରେ ବିସ୍ତାର କରୁଛନ୍ତି । ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ କେତେକ ପଦକ୍ଷେପ ନେଇଛନ୍ତି । ଭାରତରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ମୋଟ ୭୬ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି । ଛଅଟି ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ୨୨ ଡିଜାଇନ୍-ଆଧାରିତ ପ୍ରୋତ୍ସାହନ (ଡିଏଲ୍‌ଆଇ) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୭୨ଟି କମ୍ପାନୀକୁ ଚିପ୍ ଡିଜାଇନ୍ ଭିତ୍ତିଭୂମି ଯଥା ଇଡିଏ ଉପକରଣ ଏବଂ ସିନପ୍ସିସ୍, କ୍ୟାଡେନ୍ସ, ସିମେନ୍ସ ଇତ୍ୟାଦିରୁ ଏଫ୍‌ପିଜିଏ (ଫିଲ୍ଡ ପ୍ରୋଗ୍ରାମେବଲ୍ ଗେଟ୍ ଆରେ) ବୋର୍ଡ ପ୍ରଦାନ କରାଯାଇଛି । ପୋଷ୍ଟ ସିଲିକନ୍ ବୈଧତା ଏବଂ ପରୀକ୍ଷଣ ଓ ପ୍ୟାକେଜିଂ ସହାୟତା ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.