ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ୱଚ୍ଛ ଭାରତ ମିଶନ ଗାଁ ମାନଙ୍କରେ ଫେଲ୍ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସଦର ଖପ୍ରାଖୋଲରେ ଦେଖିବାକୁ ମିଳୁଛି । ଗ୍ରାମ ଭିତରେ ନା ଅଛି ଡ୍ରେନ ସୁବିଧା ନା ରାସ୍ତାଘାଟ ସଫା । ବିଭିନ୍ନ ସରକାରୀ କାର୍ଯ୍ୟଳୟ ଭିତର ଠୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ସେହି ରାସ୍ତା ଦେଇ ପଞ୍ଚାୟତ ପ୍ରତିନିଧିଠାରୁ ବ୍ଲକ ପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ ଯାତାୟାତ କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ । ନଜର ଫେରି ଦେଇ ଏସି ଗାଡ଼ିରେ ବସି ବାବୁମାନେ ଯିବା ଆସିବା କରୁଛନ୍ତି । କାଗଜ କଲମରେ ସବୁ କିଛି ଠିକ ଅଛି ସେଥିପାଇଁ ପୁରସ୍କୃତ ମଧ୍ୟ ହେଉଛନ୍ତି କିନ୍ତୁ ବାସ୍ତବିକ ଚିତ୍ର ପୁରା ଓଲଟା । ସମସ୍ୟାକୁ ଦେଖି ବୁଧବାର ଖପ୍ରାଖୋଲରେ ନୂତନ ଭାବେ ଯୋଗଦେଇଥିବା ଏସ୍ଓଜି ଟିମ୍ ଏସ୍ଆଇ ଶୁଭେନ୍ଦୁ ଜେନାଙ୍କ ନେତୃତ୍ୱରେ ସମସ୍ତ ଏସ୍ଓଜି ଦଳ ଖପ୍ରାଖୋଲ ଥାନା ଛକରେ ଥିବା ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ଅଲିଆ ଆବର୍ଜନା ସଫା କରିଥିଲେ । ଦୀର୍ଘ ଦିନ ହେବ ରାସ୍ତା ପାଖରେ ଅନାବନା ଘାସ ରହିବା ସହ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା । ଯାହା ଦ୍ୱାରା ସାଧାରଣ ଲୋକେ ଯାତାୟତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏସ୍ଓଜି ଟିମ୍ର ଏଭଳି ନିସ୍ୱାର୍ଥପର କାର୍ଯ୍ୟକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।
