
ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସମସ୍ତ ଓଏଏସ୍ ଏବଂ ଓଆରଏସ୍ ଅଧିକାରୀ ସାମୁହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କୁ ଆବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟାଳୟରେ ତଥା ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟର ବିଡିଓ, ତହସିଲଦାର ଏବଂ ସମସ୍ତ ଓଏଏସ୍ ଓ ଓଆର୍ଏସ୍ ଅଧିକାରୀ ଜିଲ୍ଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ସେମାନଙ୍କର ଅସନ୍ତୋଷକୁ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଏହି ସମସ୍ୟାର ସମ୍ମାନଜନକ ସମାଧାନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ ଛୁଟିରେ ରହିବା ପାଇଁ ଆବେଦନ କରିଛନ୍ତି । ଏହି ଅଧିକାରୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ସଂଗଠନ ସମର୍ଥନ ଜଣାଇଛନ୍ତି । ପ୍ରଶାସନିକ ଅଧିକାରୀମାନଙ୍କ ଏହି ସାମୁହିକ ଛୁଟି ପାଇଁ ଜିଲ୍ଲାର ଦୈନନ୍ଦିନ କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।