ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିଲା । ଗାନ୍ଧୀନଗରପଡ଼ା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀଛକ ସ୍ଥିତ ଡ.ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ପୂର୍ବାହ୍ନ ୮ଟା୩୦ମି. ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ ଶ୍ରୀ ଦାଶ ତାଙ୍କ ଅଭିଭାଷଣରେ ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମନିରପେକ୍ଷତା, ବୈଷମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ମିଧାନର ବିଶେଷତ୍ୱ ଏବଂ ଭାରତୀୟ ସମ୍ବିଧାନ ଆମ ଐକ୍ୟ, ସଂହତି ଓ ଧର୍ମ ନିରପେକ୍ଷ ଚରିତ୍ରକୁ ମଜବୁତ କରିଛି ବୋଲି ପ୍ରକାଶ କରିଥିଲେ । ସମ୍ବିଧାନ ପ୍ରଣେତା ଡ. ବି.ଆର୍‌.ଆମ୍ବେଦକର ଓ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ସଦସ୍ୟାମାନଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ଭାରତ ବର୍ଷର ଏକତା ଓ ଅଖଣ୍ଡତା ବଜାୟ ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି କହିଥିଲେ । ‘୫ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ଜନସାଧାରଣଙ୍କ ସହଯୋଗିତା ଓ ସହଭାଗିତା ଦ୍ୱାରା ସଫଳ ରୂପାୟନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । କୃଷି କ୍ଷେତ୍ରରେ ଆମ ରାଜ୍ୟ ଏକ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ କରିବା ସହ ଲଗାତାର ୫ ଥର ପାଇଁ ‘କୃଷିକର୍ମଣ ପୁରସ୍କାର’ ପାଇଛି । ମହିଳାମାନଙ୍କ ଉନ୍ନତି ଏବଂ ସଶକ୍ତିକରଣ ନିମନ୍ତେ ‘ମିଶନ ଶକ୍ତି’ ନାମରେ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । କୋଭିଡ଼ ମହାମାରୀ ପରିଚାଳନା ନିମନ୍ତେ ବଲାଙ୍ଗିର ଜିଲ୍ଲାରେ ଅସ୍ଥାୟୀ ମେଡ଼ିକାଲ ସେଣ୍ଟର, କୋଭିଡ଼ କେୟାର ହୋମ, କୋଭିଡ଼ କେୟାର ସେଣ୍ଟର, କୋଭିଡ଼ ହସ୍‌ପିଟାଲ ଇତ୍ୟାଦି ସ୍ଥାପନ କରାଯାଇ କୋଭିଡ଼ ମହାମାରୀର ସଫଳ ମୁକାବିଲା କରାଯାଇଥିଲା । କୋଭିଡ଼ ମହମାରୀ ମୁକାବିଲାରେ କୋଭିଡ଼ ଯୋଦ୍ଧାମାନଙ୍କ ଯେଉଁ ଉତ୍ସର୍ଗୀକୃତ ସେବା ଯୋଗାଇ ଦେଉଛନ୍ତି, ତାହା ଅବିସ୍ମରଣୀୟ ବୋଲି ପ୍ରକାଶ କରିବା ସହ ଜନ ପ୍ରତିନିଧି, ଜନସାଧାରଣ, ଗଣମାଧ୍ୟମର ସହଯୋଗ ରହିଛି ବୋଲି ପ୍ରକାଶ କରିଥିଲେ । କୋଭିଡ଼ ମହାମାରୀ ସମୟରେ ଓ କୋଭିଡ଼ ପରବର୍ତ୍ତୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଲୋକମାନଙ୍କ ଜୀବନ ଜୀବିକା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । କୋଭିଡ଼ ମହମାରୀ ସମୟରେ କୋମଳମତି ଶିଶୁମାନଙ୍କର ପାଠ ପଢ଼ା ଦିଗରେ ସରକାର ସତତଃ ଚେଷ୍ଟିତ ବୋଲି କହିବା ସହ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୭୦୦ ପୃଷ୍ଠା ସମ୍ବଳିତ ପୁସ୍ତକ ‘ପରୀକ୍ଷା ଦର୍ପଣ’ ପ୍ରାୟ ୬,୨୦,୫୦୮ ଜଣ ଛାତ୍ରଛାତ୍ରୀଙ୍କ ମାଗଣାରେ ବଂଟନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ।

କରୋନା କଟକଣା ଯୋଗୁଁ କେବଳ ଏପିଆର ଓ ହୋମଗାଡର଼୍ ୨ଗୋଟି ପ୍ଲାଟୁନ ଅଂଶଗ୍ରହଣ କରି ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ବାଦନ କରିଥିଲେ । ଅଭିବାଦନ ମଂଚରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଉପସ୍ଥିତ ଥିବା ବେଳେ ସମାରୋହରେ କୋଭିଡ଼ ଯୋଦ୍ଧା, ସରକାରୀ ଅଧିକାରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.