
- ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଅନୁଦାନ ପାଣ୍ଠିରୁ ଉତ୍କଳ କନ୍ଧ ସମାଜ, ଲୁହା ପର୍ଗନା କନ୍ଧ ସମାଜ ଭବନ ନିର୍ମାଣ କରାଯାଇଥିଲା । ତେବେ ନିର୍ମାଣ କାର୍ଯ୍ୟ ସରିଥିବାରୁ ଉତ୍କଳ କନ୍ଧ ସମାଜ, ଲୁହା ପର୍ଗନା ସମାଜର ସଭାପତି ଚୈତନ୍ୟ ମାଝୀଙ୍କ ସଭାପତିତ୍ୱରେ ରବିବାର ସକାଳେ ଏହି ଭବନର ଉଦ୍ଘାଟନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ କର କମଳରେ ଉଦ୍ଘାଟନ କରିଥିବା ବେଳେ ତାଙ୍କ ସହ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ବାଳକୃଷ୍ଣ ଶବର, ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, କୁଶକେଲା ସରପଞ୍ଚ ପ୍ରତିନିଧି ପ୍ରକାଶ ମହାନନ୍ଦ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ ଉପସ୍ଥିତ ଥିଲେ । ପ୍ରଥମେ ଖୋଲାନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସରପଞ୍ଚ ନରେଶ ଅଗ୍ରୱାଲ ଏବଂ କନ୍ଧ ସମାଜର ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ସେଠାରୁ ଗାଁ ଭିତରେ ଥିବା ଧରଣୀ ଖୁଣ୍ଟକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ନୂତନ ନିର୍ମିତ ଭବନ ଉଦଘାଟନ ପାଇଁ ଯାଇଥିଲେ । ସେଠାରୁ ଉଦ୍ଘାଟନ କରି ନାରେନ ଠାରେ ଉତ୍କଳ କନ୍ଧ ସମାଜର ଏକ ସାଂଗଠାନିକ ସଭାରେ ଯୋଗ ଦେଇଥିଲେ । ସେଠାରେ ସେ କହିଥିଲେ ଯେ, ଓଡ଼ିଶାରେ ଆଦିବାସୀଙ୍କ ସଂଖ୍ୟା ୨୫ ପ୍ରତିଶତ, ବିଶେଷ କରି ଟିଟିଲାଗଡ଼ ହେଉଛି କନ୍ଧାନ ଅଞ୍ଚଳ । ଆଦିବାସୀଙ୍କ ସ୍ଵତନ୍ତ୍ର ସଂସ୍କୃତି ରହିଛି, ଦେବାଦେବୀ ପୂଜା ପଦ୍ଧତି ସମ୍ପୂର୍ଣ୍ଣ ଅଲଗା । ଜଳ, ଜଙ୍ଗଲ, ଜମି, ସୁରକ୍ଷା ସହ ଆଦିବାସୀମାନେ ଆଜି ବି ଅବହେଳିତ ଅବସ୍ଥାରେ ଅଛନ୍ତି । ଆଦିବାସୀଙ୍କ ଜମି ଅନ୍ୟ କାହାକୁ କିମ୍ବା ଅଣ ଆଦିବାସୀଙ୍କୁ ଯଦି ଜମି ହସ୍ତାନ୍ତର କରିବେ ତାହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ନିଶ୍ଚୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ତେଣୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଦିବାସୀ ମାନଙ୍କର ବିକାଶ ପାଇଁ ଯୋଜନା କରିବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ନିଯୁକ୍ତି କରିବାକୁ ଦାବି କରିଛନ୍ତି । ଏହି ଅବସରରେ କନ୍ଧ ସମାଜର ହାଁସଦା ବାବୁ, ଥବିର ପୂଜାରୀଙ୍କ ସମେତ ବହୁତ ଆଦିବାସୀ ମହିଳା ତଥା ପୁରୁଷମାନେ ଯୋଗ ଦେଇଥିଲେ ।