
ନୂଆପଡା ଜିଲ୍ଲାରେ ଗ୍ରୀଷ୍ମକାଳୀନ ଛୁଟିରେ ଶ୍ରମଜୀବୀ ବିକାଶ ମଞ୍ଚର ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ

ନୂଆପଡା, (କେପିଏନ୍ଏସ୍) : ବର୍ତ୍ତମାନ ଗ୍ରୀଷ୍ମକାଳୀନ ଛୁଟି ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ଥିବା ସମୟରେ ଛାତ୍ରଛାତ୍ରୀମାନେ ପାଠପଢା ଓ ପାଠ୍ୟପୁସ୍ତକ ଠାରୁ ଦୂରରେ ରହିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ସହିତ ସଂପୃକ୍ତ ରଖି ପାଠ ପଢ଼ାଇବା ପାଇଁ ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଓ ଆତ୍ମଶକ୍ତି ଟ୍ରଷ୍ଟ ତଥା ଏହାର ୧୭ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ସଦସ୍ୟ ସଙ୍ଗଠନ ଗୁଡ଼ିକ ମିଳିତ ଭାବରେ ପ୍ରାଥମିକ ସ୍ତରର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ କରିଛନ୍ତି । ପ୍ରତି ଗ୍ରାମରେ ଏଭଳି ଶିବିର ଆୟୋଜନ କରାଯାଉଛି । ଉକ୍ତ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଛାତ୍ରଛାତ୍ରୀ ମାନଙ୍କର ଶ୍ରେଣୀ ଅନୁସାରେ ପଠନ, ଲିଖନ ଓ ମୌଳିକ ଗଣିତ ଦକ୍ଷତାକୁ ମଜବୁତ୍ କରିବା ସହିତ ଶିକ୍ଷଣ ବ୍ୟବଧାନକୁ କମ୍ କରିବା । ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସଙ୍ଗଠନ ଶ୍ରମଜୀବୀ ବିକାଶ ମଞ୍ଚର ପ୍ରୟାସରେ ନୂଆପଡା ଜିଲ୍ଲାର ୫ ଗୋଟି ବ୍ଲକରେ ପ୍ରାୟ ୨୦୦ରୁ ଅଧିକ ଶିବିରରେ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ କରାଯାଇଛି । ଏହା ସହିତ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ଦିଆଯାଇ ସେମାନଙ୍କ ପଞ୍ଜୀକରଣ କରିବା ସହିତ ମାପିଂ ଓ ପ୍ରୋଫାଇଲ ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମର ଅବଧି ୬ ସପ୍ତାହ ଅଟେ । ପ୍ରତ୍ୟକ ସପ୍ତାହରେ ଅଲଗା, ଅଲଗା ପାଠ୍ୟକ୍ରମ ପଢାଯାଉଛି । ଅକ୍ଷର ଚିହ୍ନିବା, ଶବ୍ଦ ପଢ଼ିବା, ବାକ୍ୟ ଗଠନ କରିବା ଓ ପଢ଼ିବା ସହିତ ଗାଣିତିକ ଦକ୍ଷତା ମଧ୍ୟରେ ନମ୍ବର ଚିହ୍ନିବା, ମିଶାଣ ଓ ଫେଡ଼ାଣ କରିବା, ସହିତ ନାଚ, ଗୀତ ଓ ଗଳ୍ପ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିବା ସହିତ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ହୋଇପାରିବ ବୋଲି ଶ୍ରମଜୀବୀ ମଞ୍ଚ ସଙ୍ଗଠନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।