
ଗୁଡଭେଲା, (କେପିଏନ୍ଏସ୍) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୂକ୍ତ) ବଲାଙ୍ଗିର ଜିଲ୍ଲାର ଆହ୍ୱାନ କ୍ରମେ ଗୁଡଭେଲା ବ୍ଲକ୍ ଶିକ୍ଷକ ସଂଘ ତରଫରୁ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଆଠ ଜଣିଆ ପ୍ରତିନିଧି ଦଳ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ କମିସନରଙ୍କ ଉଦ୍ଦେଶ୍ୟରେ ତୁରନ୍ତ ଶିକ୍ଷକ ପଦୋନ୍ନତି ଦେବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଇଓ ନମିତା ରାଣୀ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଦାବୀପତ୍ର ଗ୍ରହଣ କରିଥିଲେ । ଗତ ୨୦୨୨ ମସିହା ପରଠାରୁ ଶିକ୍ଷକ ପଦୋନ୍ନତି ବାଧାପ୍ରାପ୍ତ ହୋଇଛି, ଫଳରେ ହଜାର ହଜାର ଶିକ୍ଷକ ନିଜର ଅଧିକାରଠାରୁ ବଞ୍ଚିତ ହୋଇ ଚାକିରୀରୁ ଅବସର ଗ୍ରହଣ କରି ସାରିଛନ୍ତି ଏବଂ ଆଉ କିଛି ଅବସର ଗ୍ରହଣ ଅପେକ୍ଷାରେ ଅଛନ୍ତି । ତଥାପି ଶିକ୍ଷକ ପଦୋନ୍ନତି ହୋଇ ପାରୁନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ୨୦୧୯ କ୍ୟଡର ରୁଲ ଅନୁଯାୟୀ ଶୀଘ୍ର ପଦୋନ୍ନତି ନହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଶ୍ରୀ ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥିରେ ବବିତା ନାୟକ, ଶକୁନ୍ତଳା ମେହେର, ସଞ୍ଜୟ ସାହୁ, ଭକ୍ତ ବନ୍ଧୁ ସାହୁ, ସୁରେଶ ଚନ୍ଦ୍ର ସାହୁ, ଜୟ ଶିବ ଶଙ୍କର ଲାଲ ଭଣ୍ଡା ଓ ପ୍ରଶାନ୍ତ କୁମାର ସୁନା ପ୍ରମୁଖ ସାମିଲ ଥିଲେ ।