
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲପାଳ ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିଥିଲେ । ଓଏଏସ ଅଫିସର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଠିକ୍ ସମୟରେ ପଦୋନ୍ନତି, ଶ୍ରେଣୀ ଅନୁସାରେ ପଦବୀ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରଙ୍କର ସୁରକ୍ଷା, କାର୍ଯ୍ୟାଳୟରେ ସୁବ୍ୟବସ୍ଥା, ସ୍ୱାସ୍ଥ୍ୟ ବୀମା, ପୁରୁଣା ପେନସନ ଲାଗୁ, କନିଷ୍ଠ ବର୍ଗରେ କାର୍ଯ୍ୟରତ ଅଧିକାରୀଙ୍କର service confirmation ଆଦି ଦାବି ଉପସ୍ଥାପିତ ହୋଇଥିଲା । ତତ୍ ସହିତ ନିକଟ ଅତୀତରେ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ Focus plus ମୁଖ୍ୟ ସୁଧାଂଶୁ ରାଉତ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଷ୍ପତ୍ତି ନିଆଯାଇଛି । କାରଣ ବିଡ଼ିଓ ମାନେ ବ୍ଲକ ସ୍ତରରେ ସରକାରଙ୍କର ଅନେକ କାର୍ଯ୍ୟକ୍ରମକୁ ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଏଭଳି ଅଭଦ୍ରୋଚିତ ବ୍ୟବହାରକୁ ବରଦାସ୍ତ୍ କରାଯିବ ନାହିଁ ବୋଲି ମତ ରଖିଥିଲେ । ଏ ନେଇ ରାଜ୍ୟ ଓଏଏସ ସଂଗଠନ ତଥା ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯିବା ପାଇଁ ସିଦ୍ଧାନ୍ତ ହୋଇଛି । ଉକ୍ତ ସଭାରେ ବରିଷ୍ଠ ଓଏଏସ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ଉଦଳା, ବାରିପଦା, ସହକାରୀ ଉନ୍ନୟନ ଅଧିକାରୀ ତଥା ବିଡ଼ିଓ, ତହସିଲଦାର ଓ ଡେପୁଟି ଜିଲ୍ଲାପାଳ ମାନେ ଯୋଗଦେଇଥିଲେ ।