centurian jitm

ନୂଆପଡ଼ା ପୋଲିସ୍ ଦ୍ଵାରା “ମୋବାଇଲ୍ ଫେରସ୍ତ ମେଳା” ମାଧ୍ୟମରେ ୧୦୪ଟି ଚୋରି ମୋବାଇଲ୍ ଫେରସ୍ତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର୍. ରାଘବେନ୍ଦ୍ରଙ୍କ ନେତୃତ୍ୱରେ ପରିଚାଳିତ ଅପରେସନ୍ ଶୁଦ୍ଧି ମାଧ୍ୟମରେ ଜିଲ୍ଲା ପୋଲିସ୍‌କୁ ମିଳିଛି ଆଉ ଏକ ବିରାଟ ସଫଳତା । ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ୧୦୪ଟି ମୋବାଇଲ୍ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଛି ନୂଆପଡ଼ା ପୋଲିସ୍ । ଏଥିପାଇଁ ଜିଲ୍ଲାର ସମସ୍ତ ୯ଟି ଥାନାରେ ମୋଟ ୨୦ଟି ଦଳ ଗଢି ଏହି ପୁନରୁଦ୍ଧାର ଯୋଜନା କାର୍ୟ୍ୟକାରୀ ହୋଇଥିଲା । ସମସ୍ତଙ୍କ ୪୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୧୦୪ଟି ମୋବାଇଲ୍ ଉଦ୍ଧାର ହୋଇଥିଲା । ଏହାକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସ୍ଵତନ୍ତ୍ର ମୋବାଇଲ୍ ଫେରସ୍ତ ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରି ଏସ୍‌ପି କହିଲେ ଯେ ଜିଲ୍ଲା ପୋଲିସ୍ ବହୁ ନିଷ୍ଠାର ସହିତ ପ୍ରଚେଷ୍ଟା କରି ଏହି ୧୦୪ଟି ମୋବାଇଲ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଏସବୁର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫୦ଟି ମୋବାଇଲ୍ ଚୋରି ଏବଂ ହଜି ଯାଇଥିବା କେସ୍‌ ଦାୟର ହୋଇଥିଲା । ସେଥିରୁ ଖରିଆର ଥାନା ଅଞ୍ଚଳରୁ ୪୩ଟି ନୂଆପଡ଼ାରୁ ୧୯ଟି ସିନାପାଲିରୁ ୧୬ଟି ଏବଂ ବୋଡ଼େନ ଥାନା ଦ୍ଵାରା ୧୧ଟି ମୋବାଇଲ୍ ଉଦ୍ଧାର ହୋଇଛି । ଯଦି କାହାର ମୋବାଇଲ ଚୋରି କିମ୍ବା ହଜି ଯାଇଛି ତାହେଲେ ବ୍ୟସ୍ତ ନହୋଇ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ । ଏହାକୁ ପୋଲିସ୍ ନିଶ୍ଚିତ ଭାବରେ ଟ୍ରାକ୍ କରି ଉଦ୍ଧାର କରିପାରିବ । ଏ ସମ୍ବନ୍ଧରେ ପୋଲିସ୍‌ର ହ୍ଵାଟ୍‌ସ୍ଆପ୍ ନମ୍ବର ୯୪୩୮୯୧୬୮୬୨ରେ ନିଜର ତଥା ମୋବାଇଲ୍‌ର ସମସ୍ତ ସୂଚନା ଦେଇ ଅଭିଯୋଗ ଦାୟର କରି ପାରିବେ । ନିଜର ହଜି ଯାଇଥିବା ମୋବାଇଲ୍‌କୁ ଆଉଥରେ କେବେ ଫେରି ପାଇବାର ଆଶା ରଖି ନଥିବା ବ୍ୟକ୍ତିମାନେ ଏସ୍‌ପିଙ୍କ ହାତରୁ ତାହା ଗ୍ରହଣ କରି ଖୁସିରେ ଅଧିର ହୋଇଯାଇଥିଲେ । ଏହି ମେଳାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରଞ୍ଜିତ କୁମାର ନାୟକ, ନୂଆପଡ଼ା ଥାନା ଅଧିକାରୀ ଗଙ୍ଗାଧର ମେହେର, ଜୋଙ୍କ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ ପୋଲିସ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.