
- ଭୋଟ ସରିଛି, ଫଳାଫଳ ଘୋଷଣାକୁ ଅପେକ୍ଷା
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିରୋଧରେ ଅନାସ୍ଥା ଭୋଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ପ୍ରତିମା ପାତ୍ରଙ୍କ କାର୍ଯ୍ୟକଳାପରେ ବହୁ ୱାର୍ଡ ସଭ୍ୟ /ସଭ୍ୟା ଅସନ୍ତୁଷ୍ଟ ଥିଲେ । ପଞ୍ଚାୟତର ମୋଟ ୧୩ ଜଣ ୱାର୍ଡ ସଭ୍ୟସଭ୍ୟା ମଧ୍ୟରୁ ୧୦ ଜଣ ସରପଞ୍ଚ ପ୍ରତିମାଙ୍କ ବିରୋଧରେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ତେବେ ଗୋଟେ ୱାର୍ଡରେ ଭୋଟ ହୋଇନଥିବାରୁ ସେଠାରେ ୱାର୍ଡ ପଦବୀ ଖାଲି ପଡିଛି । ପୂର୍ବ ବିଜ୍ଞପ୍ତିକୁ ଆଧାର କରି ଶୁକ୍ରବାର ଘନିପୁର ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯାଇଥିଲା । ଏଥିରେ ସରପଞ୍ଚଙ୍କ ବିରୋଧରେ ୯ଟି ଭୋଟ ପଡ଼ିଥିବା ବେଳେ ସପକ୍ଷରେ ସରପଞ୍ଚଙ୍କ ଭୋଟ ମିଶି ୪ଟି ଭୋଟ ପଡ଼ିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ଭୋଟ ସରିଛି, ଆନୁଷ୍ଠାନିକ ଫଳାଫଳ ଘୋଷଣକୁ ଅପେକ୍ଷା କରାଯାଇଛି । ଏହି ଅନାସ୍ଥା ଭୋଟ ପରିଚାଳନା କରିଥିଲେ, ପ୍ରିଯା୍ଇଡିଂ ଅଫିସର ଭାବେ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ନାରାୟଣ ମହାରଣା, ମାଜିଷ୍ଟ୍ରେଟ ଡେଲାଙ୍ଗ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ ପିଇଓ ସଚିନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପିପିଲି ଏସ୍ଡ଼ିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଆଇଆଇସି ଶ୍ୟାମଘନ ବାରିକ , ଘୋରଡ଼ିଆ ପୋଲିସ ସହାୟତା କେନ୍ଦ୍ର ଅଧିକାରୀ ଗୋପବନ୍ଧୁ ରାଉତଙ୍କ ସହ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳାର ସହ ଅନାସ୍ଥା ଭୋଟ ଶେଷ ହୋଇଛି ।