
ନୂଆଦିଲ୍ଲୀ, (ପିଆଇବି) : ସିଏସ୍ଆଇଆର୍-ଆଇଏମ୍ଏମ୍ଟି ପ୍ରତିଷ୍ଠାନ ଋଷିଆର ଜେଏସ୍ସି ଗିରେଡମେଟ ସହ ଦୁଇଟି ଯୁଗ୍ମ ଘୋଷଣାନାମା (ଜେଡିଆଇ) ସ୍ୱାକ୍ଷରିତ କରିଛି । ଜେଏସ୍ସି ଗିରେଡମେଟ ବା ବିରଳ ମେଟାଲ ଶିଳ୍ପର ରାଜ୍ୟ ରିସର୍ଚ୍ଚ ଆଣ୍ଡ ଡିଜାଇନ ପ୍ରତିଷ୍ଠାନ ଓ ମସ୍କୋର ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ ବା ଏମ୍ଆଇଏସ୍ଆଇଏସ୍ ସହ ଏହି ଚୁକ୍ତିନାମା କରାଯାଇଛି । ଦୁଇଟି ଅଲଗା ଅଲଗା ଯୁଗ୍ମ ଘୋଷଣାନାମାରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ, ଜେଏସ୍ସି ରୋସାତମ ସାଇନ୍ସ କେମିକାଲ ଟେକ୍ନୋଲଜି ୟୁନିଟର ନିର୍ଦ୍ଦେଶକ ଡ. ଆନ୍ଦ୍ରେଇ ଆଇ ଗୋଲିନେଇ, ଏମ୍ଆଇଏସ୍ଆଇଏସ୍ ଭାଇସ ରେକ୍ଟର ଡ. ମାଇକେଲ ଆର୍ ଫିଲୋନୋଭ ସ୍ୱାକ୍ଷର କରିଛନ୍ତି । ସିଏସ୍ଆଇଆର୍-ଆଇଏମ୍ଏମ୍ଟିର ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ, ବିଜ୍ଞାନ ଓ ଉଦଭାବନର ଡେପୁଟି ଡାଇରେକ୍ଟର ଡ. କନଷ୍ଟାନଟିନ ଭି ଆଇଭାନଭସ୍କିଖ, ଏମ୍ଆଇଏସ୍ଏସ୍ର ନିର୍ଦ୍ଦେଶକ ଡ. କରୋତଚେଙ୍କୋ ନାଟାଲିଆ, ଭାରତୀୟ ଦୂତାବାସର କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପ୍ରମୁଖ ଏହି ଘୋଷଣାନାମା ସ୍ୱାକ୍ଷରିତ ହେବା ବେଳେ ଉପସ୍ଥିତ ରହିଥିଲେ । ଗୁରୁବାର ଦିନ ମସ୍କୋ ଭାରତୀୟ ଦୂତାବାସରେ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଟିମ ପକ୍ଷରୁ ଏହାର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ ଓ ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ ଭାରତର ରାଷ୍ଟ୍ରଦୂତ ବିନୟ କୁମାରଙ୍କୁ ସାକ୍ଷାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପରିଚାଳନା କରିଥିଲେ । ଆତ୍ମ ନିର୍ଭର ଭାରତ ଓ ବିକଶିତ ଭାରତ ପାଇଁ ବିରଳ ଖଣିଜ ପଦାର୍ଥର ଗୁରୁତ୍ୱ ରହିଥିବା କଥା କହି ଭାରତର ରାଷ୍ଟ୍ରଦୂତଙ୍କୁ ଏହି ଟିମ ନିଜ ଆସିବାର ଅଭିପ୍ରାୟ ଜଣାଇଥିଲେ ।