
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଉଚ୍ଚ ବିଦ୍ୟାଳୟରେ ପଞ୍ଚଦିବସୀୟ ପ୍ରସ୍ତୁତି ବାଳବାଟିକା ତାଲିମ ଉଦ୍ଯାପିତ ହୋଇଯାଇଛି । ରାମପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଶିକ୍ଷକ ନାରାୟଣ ମେହେର, କୁଶ ଭୋଇ, କୃଷ୍ଣଚନ୍ଦ୍ର ବାରିକ ଓ ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୬ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରି ପୂର୍ବକ କାର୍ଯ୍ୟକ୍ରମକୁ ଉଚ୍ଚ କୋଟିର କରି ଗଢି ତୋଳିଥିଲେ । ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଗଞ୍ଜାଲୁ ମିର୍ଦ୍ଧା ପ୍ରଶିକ୍ଷାର୍ଥୀଙ୍କୁ ବାଳବାଟିକାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ । ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା ଉଦ୍ଯାପନି ଉତ୍ସବରେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀଙ୍କ ସାହାଯ୍ୟ ଏହି ତାଲିମ ଶିବିରକୁ ସଫଳ କରିଥିଲା ।