ନୂଆପଡ଼ା ଜିଲ୍ଲାପାଳ ବୋହିଲେ ମାଟିର ଭାର : ଶ୍ରମିକଙ୍କୁ କଲେ ଉତ୍ସାହିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ମନରେଗା ଯୋଜନାରେ ଦୈନିକ ୬୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି । ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲା ପ୍ରଶାସନକୁ ସଙ୍ଗରେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶ୍ରମିକମାନଙ୍କ ମନରେ ସ୍ୱାଭିମାନ ଏବଂ ଆତ୍ମପ୍ରତ୍ୟୟ ଜାଗ୍ରତ କରିବା ପାଇଁ ମନରେଗା କାମରେ ଶ୍ରମିକମାନଙ୍କ ସହ ଭାର ଧରି ମାଟି ବୋହିଛନ୍ତି ଜିଲ୍ଲାପାଳ । ଗୁରୁବାର ଦିନ ନୂଆପଡ଼ା ଜିଲ୍ଲାପାଳ କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତର ମନରେଗା କାମ ତଦାରଖ ପାଇଁ ଯାଇଥିଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଯୋଜନାରେ ଖଲିଆବନ୍ଧ ଖନନ ପାଇଁ ହେଉଥିବା ମାଟି କାମରେ ଭାରରେ ମାଟି ବୋହି ଭାରକୁ ପୋଖରୀ ହୁଡ଼ା ଉପରକୁ ଟେକି ନେଇଥିଲେ ନିଜେ ଜିଲ୍ଲାପାଳ । କୋମନା ବିଡ଼ିଓ ବିନୟ କୁମାର ଭୋଇ ମଧ୍ୟ ଏଠାରେ ଭାର ବୋହିଥିଲେ । ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଜିଲ୍ଲାପାଳ ଶ୍ରୀ ଦାଶ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ମାଟି ଖୋଳିଥିଲେ । ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି । ସୂଚନା ଯୋଗ୍ୟ ଯେ, ଜିଲ୍ଲାର ବହୁ ଶ୍ରମିକ ପରିବାର ମନରେଗା ଯୋଜନାରେ ୩୦୦ ଦିନ କାମକରି ଲକ୍ଷପତି ହୋଇପାରିଛନ୍ତି । ଜିଲ୍ଲାପାଳ ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମାଟି ଖୋଳିବା, ମାଟି ବୋହିବା ଶ୍ରମିକ ମାନଙ୍କ ମନରେ ନୂତନ ଆତ୍ମପ୍ରତ୍ୟୟ ଯୋଗାଇ ଦେଇଛି । ସେମାନେ ଦୟନୀୟ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯାଇ ନିଜ ଗାଁରେ ପରିବାର ସହିତ ରହି ଶ୍ରମଦାନ କରି ସ୍ୱାଭିମାନ ସହିତ ବଞ୍ଚିବା ପାଇଁ ସାହସ ଜୁଟାଇ ପାରୁଛନ୍ତି ।

Leave A Reply

Your email address will not be published.