ନିର୍ମାତାମାନଙ୍କୁ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ମଞ୍ଚ ପ୍ରଦାନ କରିବ ୱେଭ୍ସ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
● ସୃଜନଶୀଳତା, ଗଣମାଧ୍ୟମ ଏବଂ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ବିଶ୍ୱ ଗଣମାଧ୍ୟମ ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି : ସୂଚନା ଓ ପ୍ରସାରଣ ମନ୍ତ୍ରୀ
● ୱେଭ୍ସ ୨୦୨୫ ଗଣମାଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗ ପାଇଁ ଆଲୋଚନା, ସହଯୋଗ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରିବ : ବିଦେଶ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର
● ୱେଭ୍ସ ୨୦୨୫ ହେଉଛି ଏକ ବିପ୍ଳବ ଯାହା ବୈଷୟିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନରେ ଗଣମାଧ୍ୟମର ବିକଶିତ ଭୂମିକାକୁ ରେଖାଙ୍କିତ କରେ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ
● ୱେଭ୍ସ ବିଶ୍ୱସ୍ତରୀୟ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଭାରତର ସୃଜନଶୀଳ କ୍ଷେତ୍ର ସହିତ ଯୋଡ଼ି ହେବାରେ ସକ୍ଷମ କରିବ : କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଏଲ. ମୁରୁଗନ
● ନୂଆଦିଲ୍ଲୀରେ ଦୂତାବାସର ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତମାନଙ୍କ ପାଇଁ ‘ୱେଭସ୍ ୨୦୨୫’ ଉପରେ ଏକ ଅଧିବେଶନ ଆୟୋଜନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
● ଗଣମାଧ୍ୟମ, ମନୋରଞ୍ଜନ ଏବଂ ଡିଜିଟାଲ ପ୍ରସାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାର ମଧ୍ୟରେ ବୁଝାମଣା
ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଲାଗି ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତ ସରକାର ଆଜି ‘ୱେଭସ୍ ୨୦୨୫’ ଉପରେ ଏକ ଉଚ୍ଚସ୍ତରୀୟ ଅଧିବେଶନ ଆୟୋଜନ କରିଛନ୍ତି । ଏହା ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ସୁଷମା ସ୍ୱରାଜ ଭବନରେ ଆୟୋଜିତ ହୋଇଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ୨୦୨୫ରେ ଅନ୍ତର୍ଜାତୀୟ ସମୁଦାୟକୁ ସାମିଲ କରିବାର ପ୍ରୟାସ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁଶ୍ରୀ ସୁଜାତା ସୌନିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ଅବସରରେ ଉପସ୍ଥିତ ଥିଲେ । ବିଭିନ୍ନ ଦେଶର ପ୍ରାୟ ୧୦୦ ଜଣ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ବିନିମୟ ହୋଇଥିଲା । ଏହା ଗଣମାଧ୍ୟମ, ମନୋରଞ୍ଜନ ଏବଂ ଡିଜିଟାଲ ପ୍ରସାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ । ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘‘ସୃଜନଶୀଳତା, ଗଣମାଧ୍ୟମ ଓ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ବିଶ୍ୱର ଗଣମାଧ୍ୟମ ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି ଏବଂ ସମନ୍ୱୟର ଏକ ନୂତନ ସ୍ତରରେ ପହଞ୍ଚାଇଛି । ମନ୍ତ୍ରୀ କହିଥିଲେ ଯେ, ସମସ୍ତ ବର୍ଗର ସୃଜନଶୀଳ ନିର୍ମାତା ବା କ୍ରିଏଟର୍ମାନେ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିପାରିବେ ଏବଂ ଏହା ହେଉଛି ୱେଭ୍ସ ୨୦୨୫ର ମୂଳ ଉଦ୍ଦେଶ୍ୟ । ‘‘ଆମେ ମଇ ୧ରୁ ମେ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ୱେଭ୍ସ ୨୦୨୫ ପାଇଁ ପ୍ରଯୁକ୍ତିବିଦ୍ୟା, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନଙ୍କୁ ନିମନ୍ତ୍ରଣ କରୁଛୁ’’, ବୋଲି ମନ୍ତ୍ରୀ କହିଥିଲେ । ବିଶ୍ୱ ସ୍ତରରେ ବିଭିନ୍ନ ଭାରତୀୟ ପ୍ରୟାସ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ମନ୍ତ୍ରୀ ସମସ୍ତ ଅଂଶୀଦାରମାନଙ୍କୁ ୱେଭ୍ସ ୨୦୨୫ରେ ଅଂଶଗ୍ରହଣ କରିବା ଏବଂ ବିଶ୍ୱସ୍ତରୀୟ ନିର୍ମାତା ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଏକାଠି ହେବାକୁ ସେ ଆମନ୍ତ୍ରଣ କରିଥିଲେ । ବିଦେଶ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ତାଙ୍କ ଅଭିଭାଷଣରେ କହିଥିଲେ, ‘‘ୱେଭ୍ସ ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗ ପାଇଁ ଆଲୋଚନା, ସହଯୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରିବ । ଏହି କାର୍ଯ୍ୟକ୍ରମ ଶିଳ୍ପ ଜଗତର ଶିଳ୍ପପତି, ଅଂଶୀଦାର ଓ ଉଦ୍ଭାବକମାନଙ୍କୁ ସୁଯୋଗ ଅନ୍ୱେଷଣ କରିବା, ଆହ୍ୱାନର ମୁକାବିଲା କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବା ପାଇଁ ଏକଜୁଟ କରିବ । ବିଦେଶ ମନ୍ତ୍ରୀ କହିଲେ, ‘‘ଆର୍ଥିକ ଏବଂ ରାଜନୈତିକ ପୁନଃ ସନ୍ତୁଳନ ସାଂସ୍କୃତିକ ସନ୍ତୁଳନ ଦିଗରେ ଅଗ୍ରସର ହେଉଛି । ଯଦି ଆମେ ପ୍ରକୃତରେ ସ୍ଥାନୀୟ ହୋଇପାରିବା ନାହିଁ, ତେବେ ଆମେ ପ୍ରକୃତରେ ବିଶ୍ୱସ୍ତରୀୟ ମଧ୍ୟ ହେବା ନାହିଁ । ୱେଭସ୍ ୨୦୨୫ ଏହି ପ୍ରୟାସର ଭାବନାକୁ ପ୍ରତିଫଳିତ କରୁଛି ।’’ ଡକ୍ଟର ଜୟଶଙ୍କର ମଧ୍ୟ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତମାନଙ୍କୁ ୱେଭ୍ସ ୨୦୨୫ ଅଧୀନରେ ବିଶ୍ୱସ୍ତରୀୟ ସହଯୋଗର ସୁଯୋଗ ବିଷୟରେ ସେମାନଙ୍କ ସରକାରଙ୍କୁ ଅବଗତ କରିବାକୁ ଅନୁରୋଧ କରିଛନ୍ତି । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ତାଙ୍କ ବିଶେଶ ବକ୍ତବ୍ୟରେ କହିଛନ୍ତି, ‘‘ଭାରତର ଆର୍ଥିକ ଏବଂ ମନୋରଞ୍ଜନ ରାଜଧାନୀ ମୁମ୍ବାଇ ୱେଭ୍ସ ୨୦୨୫ ପାଇଁ ଉପଯୁକ୍ତ ପୃଷ୍ଠଭୂମି ଭାବରେ କାର୍ଯ୍ୟ କରିବ । ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ଏବଂ ସାଂସ୍କୃତିକ କୂଟନୀତିକୁ ପ୍ରୋତ୍ସାହିତ କରିବା ସହିତ ପ୍ରାଚୀନ ଓ ଆଧୁନିକ ସାଂସ୍କୃତିକ ପ୍ରଭାବକୁ ନିରବଚ୍ଛିନ୍ନ ଭାବରେ ମିଶ୍ରଣ କରେ ।’’ ସେ ଆହୁରି ମଧ୍ୟ କହିଛନ୍ତି, ‘‘ୱେଭସ୍ ୨୦୨୫ ହେଉଛି ଏକ ଆନ୍ଦୋଳନ ଯାହା ବୈଷୟିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନରେ ଗଣମାଧ୍ୟମର ବିକଶିତ ଭୂମିକାକୁ ରେଖାଙ୍କିତ କରେ । ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ବୈଶ୍ୱିକ ଭାଗିଦାରୀ ନିର୍ମାଣ କରିବା ଲାଗି ମହାରାଷ୍ଟ୍ର ପ୍ରତିବଦ୍ଧ ରହିଛି । ଉଦ୍ଯାପନୀ ବକ୍ତବ୍ୟରେ, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନ କହିଥିଲେ, ୱେଭ୍ସ ସମ୍ମିଳନୀ ଯୌଥ ଉଦ୍ୟୋଗ, ସହପ୍ରଯୋଜନା ଏବଂ ବ୍ୟବସାୟ ବିସ୍ତାର ପାଇଁ ମାର୍ଗପ୍ରଶସ୍ତ କରିବ । ଏହା ବିଶ୍ୱ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଭାରତର ସୃଜନଶୀଳ କ୍ଷେତ୍ର ସହିତ ଯୋଡ଼ି ହେବା ଲାଗି ସକ୍ଷମ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଭାରତ ସରକାର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା, ବ୍ୟବସାୟିକ ସୁଗମତା ଆଣିବା, ସ୍ଥାନୀୟ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି କରିବା ଏବଂ ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଦିଗରେ କାମ କରୁଛନ୍ତି । ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଥିଲେ, ‘‘ସମଗ୍ର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ୱେଭ୍ସ ହେଉଛି ବିଶ୍ୱର ପ୍ରଥମ ସମନ୍ୱୟ ପ୍ଲାଟଫର୍ମ । ଆମର ଲକ୍ଷ୍ୟ ହେଉଛି ପାରମ୍ପରିକ ଏବଂ ଆଧୁନିକ ଗଣମାଧ୍ୟମ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା, ବିଶ୍ୱସ୍ତରୀ ଭାଗିଦାରୀ ନିର୍ମାଣ କରିବା ଏବଂ ବିଷୟବସ୍ତୁ ସୃଷ୍ଟି ତଥା ବୈଷୟିକ ନବସୃଜନରେ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଉପଯୋଗ କରିବା । ସେ ଆହୁରି ମଧ୍ୟ କହିଥିଲେ ଯେ ୱେଭ୍ସର ପ୍ରଥମ ସଂସ୍କରଣକୁ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ପାଇଁ ଏକାଧିକ ଟ୍ରାକ୍ ସହିତ ଡିଜାଇନ୍ କରାଯାଇଛି । ବିଶ୍ୱସ୍ତରୀୟ ଗଣମାଧ୍ୟମ ବାର୍ତ୍ତାଳାପରେ ମନ୍ତ୍ରୀ ଏବଂ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ, ଯାହା ଏକ ମାର୍ଗଦର୍ଶକ ନୀତି ଦସ୍ତାବିଜ ଭାବେ ୱେଭ୍ସ ଘୋଷଣାନାମାରେ ପରିଣତ ହେବ । ‘‘ଥଟ୍ ଲିଡର୍ସ ଟ୍ରାକ୍’’ ଉଦ୍ୟୋଗ ବିଶେଷଜ୍ଞମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ ଅଧିବେଶନ ଆୟୋଜନ କରିବ । ୱେଭ୍ସ ପ୍ରଦର୍ଶନୀରେ କାହାଣୀ କହିବାର ଅଭିନବତ୍ୱ, ଚିତ୍ତାକର୍ଷକ ଅନୁଭୂତି ଏବଂ ଏକ କ୍ରୀଡ଼ା କ୍ଷେତ୍ର ପ୍ରଦର୍ଶିତ ହେବ । ଭାରତ ପାଭିଲିଅନ ଭାରତର ଗଣମାଧ୍ୟମ ଐତିହ୍ୟ ଓ ଭବିଷ୍ୟତ ଉପରେ ଆଲୋକପାତ କରିବ । ସଚିବ ଶ୍ରୀ ଜାଜୁ ଏହା ମଧ୍ୟ କହିଛନ୍ତି ଯେ ୱେଭ୍ସ ବଜାର ବ୍ୟବସାୟିକ ନେଟୱର୍କିଂକୁ ସୁଗମ କରିବ, ଯେତେବେଳେ କି ୱେଭ ଏକ୍ସସେଲରେଟର ମିଡିଆ ଷ୍ଟାର୍ଟଅପଗୁଡ଼ିକୁ ପରାମର୍ଶଦାତା ଓ ପାଣ୍ଠି ସହିତ ସମର୍ଥନ କରିବ । ୱେଭ୍ସ ସାଂସ୍କୃତିକ ସମାରୋହରେ ଭାରତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଭାର ସମ୍ମିଶ୍ରଣ ସହିତ ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।