ସାନ ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାନ ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ଶଶିଭୂଷଣ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ସହ ଶୈକ୍ଷିକ ଓ ସହଶୈକ୍ଷିକ ଉଭୟ ବିଷୟରେ ଉତ୍କର୍ଷତା ହାସଲ ପାଇଁ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ଦଣ୍ଡସେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାତାପିତା ଓ ଗୁରୁଜନଙ୍କ କଥାମାନି ଚଳିବା ବର୍ତମାନ ସମୟର ଆହ୍ୱାନ ବୋଲି କହିଥିଲେ । ଏସ୍‌ଏମ୍‌ସି ଚେୟାରପର୍ସନ ବଳରାମ ଚାଉଁର ,ପଞ୍ଚସଖା ଶିକ୍ଷାସେତୁ ସଭାପତି ପ୍ରମୋଦ ଭୁଏ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ । ମୋ ସ୍କୁଲ ଅଭିଯାନ ଯୋଜନାରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରୀମାନେ ସ୍ୱାଗତ ସଂଗୀତ ମାଧ୍ୟମରେ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଶିକ୍ଷକ ବଳରାମ ନାଏକ ସଭାପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ଶେଷରେ ଶିକ୍ଷକ ସଦାନନ୍ଦ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ଏସ୍‌ଏମ୍‌ସି ସଭ୍ୟସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ସରସ୍ୱତୀ ସେଠଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଥିଲା ।

Leave A Reply

Your email address will not be published.