ବଲାଙ୍ଗିର, (କେପିଏନ୍ଏସ୍) : ତୁଷୁରା ଥାନା ଆଠଗାଁରୁ ଆସୁଛି ବଡ଼ ଖବର । ଗୁଣି ଗାରେଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ ଜଣେ ମୃତ ଓ ୪ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମୃତକ ଜଣକ ଶ୍ୟାମ ବାଗ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା ଥାନା ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପଠେଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଠଗାଁର ବାଲଗୋପାଳ ରଣା ଗତକାଲି ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଗୁଣି ଗାରେଡ଼ି ସନ୍ଦେହରେ ଶ୍ୟାମ ବାଗ ଓ ପରିବାରର ଦୁଇ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିବା ବେଳେ ଶ୍ୟାମଙ୍କ ପରିବାର ପଟରୁ ମଧ୍ୟ ବାଲଗୋପାଳଙ୍କୁ ଓ ତାଙ୍କ ମାଁଙ୍କୁ ଆକ୍ରମଣ ହୋଇଥିଲା । କିଛି ସମୟରେ ବାଲଗୋପାଳଙ୍କ ଆକ୍ରମଣରେ ଶ୍ୟାମଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲଗୋପାଳ ଓ ତାଙ୍କ ମାଁ ସହ ଶ୍ୟାମଙ୍କ ପରିବାରର ଦୁଇ ଜଣ ଗୁରୁତର ହୋଇଯାଇଥିଲେ । ଘଟଣାକୁ ନେଇ ଖବର ପାଇଲା ପରେ ତୁଷୁରା ଥାନା ପୋଲିସ ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି । ଅନ୍ୟପଟେ ଘଟଣାର ମୂଳ କାରଣ ହେଉଛି ଗୁଣି ଗାରେଡ଼ି, ଯାହା ଫଳରେ ଏହି ତୁମୂଳ କାଣ୍ଡ ଘଟିଛି ।ଏହି କାରଣରୁ ହିଁ ମୁଁ ଶ୍ୟାମଙ୍କୁ ମାରିଛି ବୋଲି ନିଜେ ସ୍ୱୀକାର କରିଛନ୍ତି ବାଲଗୋପାଳ ।