ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସ୍ଵଚ୍ଛ ସର୍ବେକ୍ଷଣ-୨୦୨୪ ପରିପ୍ରେକ୍ଷୀରେ ସ୍ଵଚ୍ଛ ଭାରତ ମିଶନ ଅଭିଯାନରେ ୫ଟି ଆକାଂକ୍ଷୀ ଶୌଚାଳୟର ଉଦ୍ଘାଟନ କରାଯାଇଛି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସବୁ ଶୌଚାଳୟର ଶୁଭ ଉଦ୍ଘାଟନ କରିଥିଲେ । ରାଉରକେଲା ମହାନଗର ନିଗମ ତରଫରୁ ସର୍ବସାଧାରଣ ସ୍ଥାନ ଗୁଡ଼ିକୁ ଖୋଲା ଶୌଚ ମୁକ୍ତ କରିବା ପାଇଁ ସହରର ପ୍ରମୁଖ ସ୍ଥାନରେ ୨ଟି ଆକାଂକ୍ଷୀ ଶୌଚାଳୟ ରହିଥିଲା । ଦିନକୁ ଦିନ ସହରରେ ଲୋକସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଆରଏମସି ପକ୍ଷରୁ ଆଉ ୫ଟି ଆକାଂକ୍ଷୀ ଶୌଚାଳୟ ରାଉରକେଲା, ସରକାରୀ ଚିକିତ୍ସାଳୟ, ରାଉରକେଲା ନୂଆ,ବସ ଷ୍ଟାଣ୍ଡ, ମୁନିସିପାଲ କଲେଜ ସମ୍ମୁଖରେ ଥିବା ସାରନା ପଡ଼ିଆ, ରୂପୁଟୋଲା, ଦେଓଗାଁ ସ୍ଥିତ ମୁଣ୍ଡାବସ୍ତି ଠାରେ ନିର୍ମାଣ କରାଯାଇଥିବା ବେଳେ ଶନିବାର ଏଗୁଡ଼ିକର ଉଦ୍ଘାଟନ ହୋଇଯାଇଛି । ରାଉରକେଲା ସହରକୁ ଖୋଲା ଶୌଚରୁ ମୁକ୍ତ କରିବା ସହ ସହରର ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହି ଶୌଚାଳୟ ଗୁଡ଼ିକ ବିଶେଷ ସହାୟକ ହେବ । ଶନିବାର ଉଦଘାଟନୀ କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣକାନ୍ତ, ଉପ ପୌରାୟୁକ୍ତ ଅନୀତା ନାଏକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।