ମିନି ଟ୍ରକ୍ ଧକ୍କାରେ ୫ବର୍ଷର ଶିଶୁ ମୃତ

ହାଟଡିହି : ସଙ୍କଟପାଲିଆ ଛକ ନିକଟରେ ଦୁର୍ଘଟଣା । ମିନି ଟ୍ରକ୍ ଧକ୍କାରେ ୫ବର୍ଷର ଶିଶୁ ମୃତ । କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ । ଯାହା ଫଳରେ ହଦଗଡ଼କୁ ଯାତାୟତ ଠପ୍ ହୋଇଯାଇଥିଲା । ତେବେ ମୃତ ଶିଶୁ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମର କାଳିଆ ମୁଣ୍ଡାଙ୍କ ୫ବର୍ଷର ପୁଅ ଆକାଶ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁସାରେ, ଆଜି ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । । ହଦଗଡରୁ ଛତୁଆ ବୋଝେଇ କରି ଯାଉଥିବା ଏକ ମିନିଟ୍ରକ ୫ବର୍ଷର ଶିଶୁକୁ ଧକ୍କା ଦେଇଥିଲା । ଯାହାଫଳରେ ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେ ନିଜ ବାପା ମାଆଙ୍କ ସହ ସଙ୍କଟ ପାଲିଆ ଗାଁରେ ଚାଲିଥିବା ଏକ ଉତ୍ସବକୁ ବୁଲିବାକୁ ଆସିଥିଲା । ସକାଳେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ଶିଶୁକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଏନେଇ ଖବରପାଇ ଆନନ୍ଦପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ବେହେରା, ହାଟଡିହି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ, ଅତିରିକ୍ତ ତହସିଲଦାର ପ୍ୟାରୀ ମୋହନ ହେମ୍ରମ, ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଇନ୍ସପେକ୍ଟର ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଝାସୁଝା କରିଥିଲେ । ଯାହାପରେ ପରେ ସେମାନେ ରାସ୍ତାରୁ ହଟିଥିଲେ ।

Leave A Reply

Your email address will not be published.