ବିପୁଳ ପରିମାଣର ଗଞ୍ଜେଇ ସହ ପିକ୍‌ଅପ୍ ଭ୍ୟାନ ଜବତ : ଗାଡି ଛାଡି ଡ୍ରାଇଭର ଫେରାର

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଫ୍ଲ୍ୟାଇଙ୍ଗ୍ ସ୍କ୍ଵାର୍ଡ଼ ଇନ୍ସପେକ୍ଟର ସୁରେଶ ତାଣ୍ଡିଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କୋମନା ଥାନା ଅନ୍ତର୍ଗତ ସେମେଲପାଲି ପାଖରେ ବଲାଙ୍ଗିର ଜିଲ୍ଲା ଲାଠୋର ପଟୁ ମାଲ ବୋଝେଇ ଏକ ବୋଲେରୋ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତଗତିରେ ଯାଉଥିବା ବେଳେ ଅବକାରୀ ସ୍କ୍ଵାର୍ଡ଼ ଅଟକେଇବା ସତ୍ୱେ ନ ଅଟକି ଦ୍ରୁତଗତିରେ ଚାଲି ଯାଇଥିଲା । ଗାଡିଟିକୁ ପିଛା କରିବାରୁ ଉକ୍ତ ଗାଡିର ଡ୍ରାଇଭର ଓ ଅନ୍ୟ ଦୁଇ ଜଣ କେନ୍ଦୁଭଟା ରାସ୍ତାରେ ଗାଡିଟିକୁ ଛାଡି ଫେରାର ମାରିଥିଲେ । ଅବକାରୀ କର୍ମଚାରୀ କୋମନା ଥାନାକୁ ଘଟଣା ସମ୍ବନ୍ଧରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ଗାଡ଼ିରୁ ଯାଞ୍ଚ ପରେ ୧୩.୨୬ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ବୋଲେରୋ ମେକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ନଂ.ଓଡି୦୩ -ଏସି-୫୨୦୪ ସହ ଗଞ୍ଜେଇ ଜବତ କରି ନୂଆପଡା ଅବକାରୀ କାର୍ଯ୍ୟାଳୟକୁ ନେବା ପରେ ଅବକାରୀ ଇନ୍ସପେକ୍ଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତ ଅଭିଯୁକ୍ତ ଫେରାର ଥିବା ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ଆକଳନ କରାଯାଇଛି । ଏହା କନ୍ଧମାଳରୁ ଚାଲାଣ ହେଉଥିବା ଅବକାରୀ ଅଧିକ୍ଷକ ପ୍ରକାଶ କରିଥିବା ବେଳେ କୁଆଡେ ଯାଉଥିଲା ସେ ସମ୍ପର୍କରେ ସୂଚନା ଦେଇନାହାନ୍ତି । ତେବେ ଏସବୁ ଗଞ୍ଜେଇ ନୂଆପଡା ଜିଲ୍ଲାର କୌଣସି ଏକ ସ୍ଥାନକୁ ଚାଲାଣ ହେଉଥିବା ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.